ବେଙ୍ଗଲର ଅକ୍ସିଜେନ ଭାଗ ବୃଦ୍ଧି ପାଇଁ ମୋଦିଙ୍କୁ ଦିଦିଙ୍କ ଚିଠି

କୋଲକାତା: ମହାମାରୀ କରୋନା ସଂକ୍ରମଣ ଯୋଗୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଅକ୍ସିଜେନ ସଙ୍କଟ ଦେଖାଯିବାରେ ଲାଗିଛି। ପୂର୍ବରୁ ଦିଲ୍ଲୀ ସରକାର କେନ୍ଦ୍ରକୁ ଦୈନିକ ୭୦୦ ଟନ୍‌ ଅକ୍ସିଜେନ ଯୋଗାଇବାକୁ ଦାବି କରୁଥିବା ବେଳେ ଏବେ ବେଙ୍ଗଲ ସରକାର ସମାନ ପନ୍ଥା ଅବଲମ୍ବନ କରିଛନ୍ତି।

ବେଙ୍ଗଲରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଅକ୍ସିଜେନର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ରାଜ୍ୟର ଅକ୍ସିଜେନ ଚାହିଦା ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ବେଙ୍ଗଲକୁ କେନ୍ଦ୍ର ଦେଉଥିବା ଅକ୍ସିଜେନର ଭାଗ ବୃଦ୍ଧି କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି।


ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ବେଙ୍ଗଲକୁ ୫୫୦ ମେଟ୍ରିକ ଟନ୍‌ ମେଡିକାଲ ଅକ୍ସିଜେନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ। ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ଅନୁରୋଧ କରାଯାଉଛି। ଆମକୁ ପୂର୍ବରୁ ମିଳୁଥିବା ମେଡିକାଲ ଅକ୍ସିଜେନର ପରିମାଣକୁ ରିଭ୍ୟୁ ପ୍ରଧାନମନ୍ତ୍ରୀ କରନ୍ତୁ ଓ ରାଜ୍ୟର ଭାଗକୁ ବୃଦ୍ଧି କରନ୍ତୁ।

ବେଙ୍ଗଲ ଭାଗରେ ୩୦୮ ମେଟ୍ରିନ ଟନ୍‌ ଅକ୍ସିଜେନ ରହିଛି। ହେଲେ ଏବେ ରାଜ୍ୟରେ ଦୈନିକ ୫୫୦ ମେଟ୍ରିନ ଟନ୍‌ ଅକ୍ସିଜେନର ଆବଶ୍ୟକ ପଡ଼ୁଛି। ଅନୁରୋଧ ଠାରୁ ଯଦି କମ ପରିମାଣର ମେଡିକାଲ ଅକ୍ସିଜେନ ଆସିବ, ତା’ହେଲେ ଏହା ସ୍ୱାସ୍ଥ୍ୟସେବା ଉପରେ ଗୁରୁତର ପ୍ରଭାବ ପକାଇବ।

ଏଥିସହ ରାଜ୍ୟରେ ରୋଗୀଙ୍କ ଜୀବନ ମଧ୍ୟ ନେବାର ଆଶଙ୍କା ସୃଷ୍ଟି କରିବ। ତେଣୁ ତୁରନ୍ତ ଆମ ଦାବି ଉପରେ ବିଚାର କରି ପ୍ରଧାନମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।