ନିର୍ବାଚନୀ ଇସ୍ତାହାର ଘୋଷଣା କଲା ଟିଏମସି, କ’ଣ ସବୁ ପ୍ରତିଶ୍ରୁତି ଦେଲେ ମମତା
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୂ ଆଜି କ୍ଷମତାସୀନ ଟିଏମସି ତା’ର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ମମତା ବାନାର୍ଜୀ ନିର୍ବାଚନୀ ଇସ୍ତାହାରକୁ ଘୋଷଣା କରି ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସରକାର ରାଜ୍ୟକୁ ଫେରିଲେ ବେକାରୀ ସମସ୍ୟା ଦୂର କରାଯିବ ଓ ବର୍ଷକ ମଧ୍ୟରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି।
ମମତା କହିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆମେ କ୍ଷମତାକୁ ଆସିବା ଦିନଠାରୁ ୧୦୦% ପ୍ରତିଶ୍ରୁତି ପୂରଣ କରିଛୁ। ଆମେ ରାଜ୍ୟରେ ଯେଉଁ ସବୁ କାମ କରିଛୁ, ତା’କୁ ବିଶ୍ୱରେ ପ୍ରଶଂସା କରାଯାଇଛି। ଆମେ ମିଳିତ ଜାତିସଂଘରୁ ପୁରସ୍କାର ମଧ୍ୟ ପାଇଛୁ। ୧୦୦ ଦିନ କାମ ଯୋଗାଣରେ ଆମେ ନମ୍ବର ୧।
ସେ କହିଛନ୍ତି, ଆମେ ଗରିବୀ ୪୦% ଦୂର କରିଛୁ। ଚାଷୀଙ୍କ ଆୟ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ୩ ଗୁଣ ବୃଦ୍ଧି କରାଯାଇଛି। ଏଥର ଦଳ କ୍ଷମତାକୁ ଆସିଲେ ଘରେ ଘରେ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ। ସେହିପରି ଗରିବ ଲୋକଙ୍କୁ ଆର୍ଥିକ ସହଯୋଗ ମିଳିବ। ସାଧାରଣ ବର୍ଗର ଲୋକଙ୍କୁ ବାର୍ଷିକ ୬ ହଜାର ଟଙ୍କା ଓ ପଛୁଆ ବର୍ଗର ଲୋକଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ଯୋଗାଇ ଦିଆଯିବ।
Kolkata: Mamata Banerjee releases Trinamool Congress’ election manifesto for the upcoming West Bengal Assembly polls pic.twitter.com/zfFRs1iSiH
— ANI (@ANI) March 17, 2021
ମମତା ଆହୁରି କହିଛନ୍ତି, “ରାଜ୍ୟରେ ଥିବା ୧.୬ କୋଟି ଘରର ମହିଳା ମୁଖ୍ୟମାନଙ୍କୁ ମଧ୍ୟ ମାସିକ ଅର୍ଥ ପ୍ରଦାନ କରାଯିବ। ସାଧାରଣ ବର୍ଗ ମହିଳାଙ୍କୁ ମାସିକ ୫ଶହ ଓ ଏସସି/ଏସଟି ବର୍ଗର ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଦିଆଯିବ। ଚାଷୀଙ୍କ ବାର୍ଷିକ ଅନୁଦାନ ୬ ହଜାର ଟଙ୍କାରୁ ୧୦ ହଜାର ଟଙ୍କା କରାଯିବ।
ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଥିବା ଶିକ୍ଷାର୍ଥୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର କ୍ରେଡିଟ୍ କାର୍ଡ ବ୍ୟବସ୍ଥା ହେବ। ଏହା ଅର୍ଥ ଉପରେ ମାତ୍ର ୪% ସୁଧ ଦେବାକୁ ପଡ଼ିବ। ଫେରସ୍ତ ପାଇଁ ସହଜ ବ୍ୟବସ୍ଥା କରାଯିବ ଓ ଶିକ୍ଷାର୍ଥୀମାନେ ନିଜ ପରିବାର ଉପରେ ଏଥିପାଇଁ ନିର୍ଭର କରିବେ ନାହିଁ।”
ମହାଶିବରାତ୍ରୀରେ ମମତା ଟିଏମସିର ନିର୍ବାଚନୀ ଇସ୍ତାହାର ଘୋଷଣା କରିବାର ଥିଲା। ହେଲେ ସେ ନନ୍ଦିଗ୍ରାମରେ ଆହତ ହେବାରୁ ଏହାର ତାରିଖ ବଦଳା ଯାଇଥିଲା। ଶେଷରେ ଆଜି ଟିଏମସି ତା’ର ପ୍ରତିଶ୍ରୁତି ସମ୍ପର୍କରେ ଲୋକଙ୍କୁ ଜଣାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।