ବଦଳିବ ମମତାଙ୍କ କ୍ୟାବିନେଟ

କୋଲକାତା: ବଦଳିବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟ। ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହେବା ପରେ ବିବାଦରେ ରହିଛନ୍ତି ମମତା। ଏହି ବିବାଦ ଭିତରେ ସେ ନିଜର କ୍ୟାବିନେଟ ସଂପ୍ରସାରଣ ବା ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି  ବେଙ୍ଗଲରେ ୭ଟି ନୂଆ ଜିଲ୍ଲା ଗଠନ ହେବ ବୋଲି ମମତା କହିଛନ୍ତି।

ମମତା ବାନାର୍ଜୀଙ୍କ କ୍ୟାବିନେଟରେ ୫ ଜଣ ନୂଆ ମୁହଁ ସାମିଲ ହେବେ। ସେହିପରି କିଛି ପୁରୁଣା ମନ୍ତ୍ରୀଙ୍କ ବିଭାଗ ମଧ୍ୟ ଅଦଳବଦଳ ହେବ। ମମତା କହିଛନ୍ତି, ଆମେ ଆମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବୁ। କିଛି ଗଣମାଧ୍ୟମରେ ସଂପୂର୍ଣ୍ଣ ଅଦଳବଦଳ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ହେଲେ ମନ୍ତ୍ରିମଣ୍ଡଳ ସଂପୂର୍ଣ୍ଣ ଭାବେ ଅଦଳବଦଳ ହେବନାହିଁ ବୋଲି ସେ କହିଛନ୍ତି।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାର ତଦନ୍ତ କରି ଇଡି ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଓ ସୁନା ଜବତ କରିଛି। ଏଥିସହ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରିଛି। ପାର୍ଥ ଗିରଫ ହେବା ପରେ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ। ତେଣୁ ତାଙ୍କ ଦାୟିତ୍ୱରେ ଥିବା ବିଭାଗ ଖାଲି ପଡ଼ିଛି।

ସେହିପରି ଆଉ ଜଣେ ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ ଗତବର୍ଷ ହୋଇଥିଲା। ମୁଖାର୍ଜୀଙ୍କ ପାଖରେ ପଞ୍ଚାୟତରାଜ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଥିଲା। ଏବେ ଏହି ସବୁ ବିଭାଗକୁ ପୂରଣ କରିବା ପାଇଁ ମମତା କ୍ୟାବିନେଟ ସଂପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମମତା କହିଛନ୍ତି, “ପାର୍ଥ ଏବେ ଜେଲରେ। ସବୁତ୍ର ମୁଖାର୍ଜୀ ଓ ସାଧନ ପାଣ୍ଡେଙ୍କ ଦେହାନ୍ତ ହୋଇଛି। ବିଭାଗ ଗୁଡ଼ିକ ଖାଲି ପଡ଼ିଥିବାରୁ ଏହାକୁ ପୂରଣ କରାଯିବା ଦରକାର।”

ମମତା ତାଙ୍କ କ୍ୟାବିନେଟରେ ୫ ଜଣ ନୂଆ ମୁହଁଙ୍କୁ ସାମିଲ କରିବେ। ସେହିପରି ୪ ଜଣ ନେତାଙ୍କ ମନ୍ତ୍ରୀ ପଦ ଯିବ। ସେମାନଙ୍କୁ ଟିଏମସିକୁ ସୁଦୃଢ଼ କରିବା ପାଇଁ ଦାୟିତ୍ୱ ଦିଆଯିବ। ଅଗଷ୍ଟ ୩ ତାରିଖରେ କ୍ୟାବିନେଟ ସଂପ୍ରସାରଣ ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଆଉ ୭ଟି ନୂଆ ଜିଲ୍ଲା ଗଠନ ସମ୍ପର୍କରେ ମମତା ଘୋଷଣା କରିଛନ୍ତି। ସେ କହିଛନ୍ତି, ନୂଆ ଜିଲ୍ଲାକୁ ମିଶାଇ ରାଜ୍ୟର ମୋଟ ଜିଲ୍ଲା ସଂଖ୍ୟା ୩୦କୁ ବଢ଼ିଛି। ୭ଟି ନୂଆ ଜିଲ୍ଲାରୁ ୬ଟି ହେଲା ସୁନ୍ଦରବନ, ଇଚ୍ଛାମାଟି, ରାଣାଘାଟ, ବିଷ୍ଣୁପୁର, ଜାଙ୍ଗିପୁର ଓ ବ୍ରହ୍ମପୁର। ସେହିପରି ବସିରହାଟ ରିଜନରେ ଆଉ ଗୋଟିଏ ଜିଲ୍ଲାକୁ ମାନ୍ୟତା ଦିଆଯିବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।