ଭିଡିଓ ଜାରି କରି ଦଳୀୟ କର୍ମୀଙ୍କୁ ଆହ୍ୱାନ କଲେ ମମତା

କୋଲକାତା: ଗୋଡ଼ରେ ଆଘାତ ଲାଗିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ଟିଏମସି ସୁପ୍ରିମୋଙ୍କ ଗୋଡ଼ ମକଚି ଯିବାରୁ ସେ ହସ୍ପିଟାଲ ବେଡରେ ଚିକିତ୍ସାଧୀନ ରହିଛନ୍ତି। ଏହାରି ଭିତରେ ଏକ ଭିଡିଓ ଜାରି କରିଛନ୍ତି ମମତା ବାନାର୍ଜୀ। ଦୁଇ-ତିନି ଦିନ ମଧ୍ୟରେ ସେ ପ୍ରଚାର ମୈଇଦାନକୁ ଫେରିବେ ବୋଲି ମମତା ଭିଡିଓରେ କହିଛନ୍ତି। ଏମିତିକି ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ କରିଛନ୍ତି। ଯଦିଓ ତାଙ୍କ ଗୋଡ଼ ଫୁଲିଯାଇଥିବାରୁ ପ୍ଲାଷ୍ଟର ହୋଇଛି ହେଲେ ସେ ହ୍ୱିଲ ଚେୟାରରେ ଆସି ପ୍ରଚାର କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ବାନାର୍ଜୀ। ଏହାପରେ ପ୍ରଚାର କରୁଥିବା ବେଳେ ସଂଧ୍ୟାରେ ଆହତ ହୋଇଛନ୍ତି। ସେ କହିଛନ୍ତି ୪-୫ ଲୋକ ଆସି ତାଙ୍କୁ ଧକ୍କା ଦେବାରୁ ତାଙ୍କ ଗୋଡ଼ ଓ ବେକରେ ଆଘାତ ଲାଗିଛି। ଏହାକୁ ସେ ଓ ତାଙ୍କ ଦଳ ଷଡ଼ଯନ୍ତ୍ର ବୋଲି କହିଛି। କେହି ଟିଏମସିର ସ୍ୱରକୁ ଚପାଇ ପାରିବେ ନାହିଁ ବୋଲି ଟ୍ୱିଟ୍ କରି ଟିଏମସି କହିଛି।

ହେଲେ ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ ଓଲଟା କଥା କହିଛନ୍ତି। ସେ କହିଛନ୍ତି ମମତା ବାନାର୍ଜୀଙ୍କ କାର ଧୀରେ ଧୀରେ ଆସୁଥିଲା। ଏହି ସମୟରେ କାରର ଡୋର ଖୋଲାଥିଲା। ରାସ୍ତାର ଏକ ଖୁଣ୍ଟି ପୋତା ହୋଇ ରହିଛି। ଯେଉଁଥିରେ କାରର ଡୋର ବାଡେଇ ହୋଇଯିବାରୁ ମମତାଙ୍କ ଗୋଡ଼ରେ ଆଘାତ ଲାଗିଛି। କେହି ମମତାଙ୍କୁ ଧକ୍କା କିମ୍ୱା ଠେଲାପେଲା କରି ନାହାନ୍ତି।

ନିର୍ବାଚନ ପ୍ରଚାର ବେଳେ ଟିଏମସି ଏଭଳି ଘଟଣାକୁ ଷଡ଼ଯନ୍ତ୍ର କହି ବିଜେପିକୁ ଟାର୍ଗେଟ କରୁଥିବାବେଳେ ବିଜେପି ମଧ୍ୟ କଡ଼ା ଜବାବ ଦେଇଛି। ନନ୍ଦିଗ୍ରାମରେ ସହାନୁଭୂତି ଭୋଟ୍ ହାତେଇବାକୁ ଯାଇ ମମତା ଏଭଳି ନାଟକ କରିଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ କହିଛନ୍ତି ମମତା ନାଟକ କରୁଛନ୍ତି। ନିଜେ ପୁଲିସ ବିଭାଗର ମନ୍ତ୍ରୀ, ସୁରକ୍ଷା ଦାୟିତ୍ୱରେ ଏତେ ପୁଲିସ କର୍ମୀ ନିୟୋଜିତ ଥିବା ବେଳେ ୪-୫ ଲୋକ ଠେଲାପେଲା କରି ପଳାଇଲେ ହେଲେ ଏହାର ଗୋଟିଏ ଭିଡିଓ ଫୁଟେଜ ବି ଟିଏମସି ଜାରି କରିପାରୁନି କାହିଁକି ବୋଲି ଅଧୀର ପ୍ରଶ୍ନ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।