୨୦ ବର୍ଷ ଜେଲରେ ରହିବା ପରେ ଦୁଷ୍କର୍ମ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ

ଲକ୍ଷ୍ନୌ: ନ୍ୟାୟ ପାଇଁ ଲାଗିଲା ୨୦ ବର୍ଷ। କିଛି ନ କରି ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଦୁଷ୍କର୍ମ ମାମଲାରେ ଦୀର୍ଘ ୨୦ ବର୍ଷ କାଳ ଜେଲ୍‌ରେ ରହିବାକୁ ପଡ଼ିଲା। ଶେଷରେ କୋର୍ଟ ଲଢ଼େଇରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। କିନ୍ତୁ ଏହି ୨୦ ବର୍ଷ ତାଙ୍କୁ କିଏ ଫେରିବ ବୋଲି ବ୍ୟକ୍ତି ଜଣଙ୍କ ଜେଲରୁ ବାହାରି ପ୍ରଶ୍ନ କରିଛନ୍ତି। ଉତ୍ତର ପ୍ରଦେଶର ଏହି ବ୍ୟକ୍ତିଙ୍କୁ ୨୩ ବର୍ଷ ବୟସରେ ଗିରଫ କରାଯାଇଥିଲା। ଆଜି ତାଙ୍କୁ ୪୩ ବର୍ଷ […]

Vishnu-Tiwari

Vishnu-Tiwari

Hemant Lenka
  • Published: Wednesday, 03 March 2021
  • Updated: 03 March 2021, 09:01 PM IST

Sports

Latest News

ଲକ୍ଷ୍ନୌ: ନ୍ୟାୟ ପାଇଁ ଲାଗିଲା ୨୦ ବର୍ଷ। କିଛି ନ କରି ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଦୁଷ୍କର୍ମ ମାମଲାରେ ଦୀର୍ଘ ୨୦ ବର୍ଷ କାଳ ଜେଲ୍‌ରେ ରହିବାକୁ ପଡ଼ିଲା। ଶେଷରେ କୋର୍ଟ ଲଢ଼େଇରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। କିନ୍ତୁ ଏହି ୨୦ ବର୍ଷ ତାଙ୍କୁ କିଏ ଫେରିବ ବୋଲି ବ୍ୟକ୍ତି ଜଣଙ୍କ ଜେଲରୁ ବାହାରି ପ୍ରଶ୍ନ କରିଛନ୍ତି।

ଉତ୍ତର ପ୍ରଦେଶର ଏହି ବ୍ୟକ୍ତିଙ୍କୁ ୨୩ ବର୍ଷ ବୟସରେ ଗିରଫ କରାଯାଇଥିଲା। ଆଜି ତାଙ୍କୁ ୪୩ ବର୍ଷ ହୋଇଗଲାଣି। ଜାନୁଆରୀ ମାସରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ବୋଲି କହିଥିଲେ। ଆଜି ସନ୍ଧ୍ୟାରେ ସେ ଆଗ୍ରା ସେଣ୍ଟ୍ରାଲ ଜେଲ୍‌ରୁ ନିଜ ରିଲିଜ୍‌ ଅର୍ଡର ଧରି ବାହାରକୁ ଆସିଛନ୍ତି।

୪୩ ବର୍ଷୀୟ ବିଷ୍ଣୁ ତିୱାରୀଙ୍କ ଘର ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲାରେ। ସେ ବସ୍‌ ଯୋଗେ ଆଗ୍ରାରୁ ସେଠାକୁ ଯିବେ। ତାଙ୍କୁ ୨୦୦୦ ମସିହା ସେପ୍ଟେମ୍ବର ୧୬ରେ ଗୋଟିଏ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ଆକ୍ଟ ମଧ୍ୟ ଲାଗିଥିଲା।

ଗିରଫର ୩ ବର୍ଷ ପରେ ଦୁଷ୍କର୍ମ ମାମଲାର ବିଚାର କରି ଲଳିତପୁର କୋର୍ଟ ତାଙ୍କୁ ୧୦ ବର୍ଷ ଓ ଏସ୍‌ସି/ଏସଟି ଆକ୍ଟରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶରେ ସେ ସେବେଠାରୁ ଜେଲଦଣ୍ଡ ଭୋଗୁଥିଲେ। ବିଷ୍ଣୁ ତାଙ୍କ ଗାଁର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମହିଳା ଜଣଙ୍କ ଅଫିସ ଯିବା ବେଳେ ବିଷ୍ଣୁ ତାଙ୍କୁ ଗୋଟିଏ ପଡ଼ିଆରେ ମାଡ଼ ମାରିବା ସହ ଜୋରଜବରଦସ୍ତି ଦୁଷ୍କର୍ମ କରିଥିବା ପୁଲିସ୍‌ ନିକଟରେ ଅଭିଯୋଗ ହୋଇଥିଲା।

ଆଜି ବିଷ୍ଣୁ ନିର୍ଦ୍ଦୋଷରେ ଖଲାସ ହୋଇଥିବାର ପ୍ରମାଣପତ୍ର ଧରି ଜେଲ୍‌ରୁ ବାହାରିଥିଲେ। କିନ୍ତୁ ତାଙ୍କୁ ସ୍ୱାଗତ କରିବା ପାଇଁ କେହି ବି ଜେଲ୍‌ ଆଗରେ ନଥିଲେ। ସେ ବସ୍‌ରେ ନିଜ ଘରକୁ ଫେରିବା ପୂର୍ବରୁ ଗଣମାଧ୍ୟମ ଆଗରେ ନିଜ କଷ୍ଟ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, “ମୋତେ ୨୦ ବର୍ଷ ଜେଲ୍‌ରେ ରଖାଗଲା। ଆଗକୁ ଏବେ ବି ମୁଁ କ’ଣ କରିବି? ମୋ ଶରୀର ସଂପୂର୍ଣ୍ଣ ଭାଙ୍ଗି ଯାଇଛି।

ମୋ ପରିବାର ଛାରଖାର ହୋଇଯାଇଛି। ମୋର ଗୋଟିଏ ସାନ ଭାଇ ରହିଛି। ମୁଁ ବାହା ମଧ୍ୟ ହୋଇନି। ଜେଲ୍‌ ରୋଷଶାଳରେ କାମ କରିକରି ମୋ ହାତ ବିଣ୍ଡି ହୋଇଯାଇଛି। ଆଜି ଜେଲ୍‌ରୁ ବାହାରିବା ବେଳେ ମୋତେ ଜେଲ କର୍ତ୍ତୃପକ୍ଷ ୬୦୦ ଟଙ୍କା ଦେଇଛନ୍ତି। ଏତିକି ହିଁ ମୋର ସମ୍ବଳ। ମୋତେ ମୋର ୨୦ ବର୍ଷ କିଏ ଫେରାଇ ଦେବ?”

ଜାନୁଆରୀ ମାସରେ ଆହ୍ଲାବାଦ ହାଇକୋର୍ଟ ବିଷ୍ଣୁ ତିୱାରୀଙ୍କୁ ନିର୍ଦ୍ଦୋଷ ବୋଲି କହିଥିଲେ। କୋର୍ଟ ନିଜ ରାୟରେ କହିଥିଲେ ଯେ ଯଦି ଆମେ ଆବେଦନକାରୀଙ୍କ କଥାକୁ ବିଚାର କରିବା, ତା’ହେଲେ ତାଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ତାଙ୍କ ମୁହଁକୁ ୧୦ ମିନିଟ୍‌ କାଳ ବନ୍ଦ କରି ପଡ଼ିଆରେ ତଳେ ପକାଇ ଘୋଷାରି ଥିଲେ। ଏହାର ପରେ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲେ। ତାଙ୍କୁ ତଳେ ପକାଇ ମାଡ଼ ମରାଯାଇଥିବାରୁ କ୍ଷତ ଚିହ୍ନ ନିଶ୍ଚିତ ରହିବା କଥା।

ହେଲେ ମେଡିକାଲ ରିପୋର୍ଟକୁ ଦେଖିଲେ ଡାକ୍ତର କୌଣସି ପ୍ରକାରର ସ୍ପର୍ମ ପାଇନାହାନ୍ତି। ଡାକ୍ତରମାନେ କହିଛନ୍ତି ଯେ ବଳପୂର୍ବକ ଯୌନ ଉତ୍ପୀଡ଼ନର ଚିହ୍ନ ନାହିଁ। ସେହିପରି ମହିଳାଙ୍କ ଶରୀରରେ କୌଣସି ପ୍ରକାରର ଆଭ୍ୟନ୍ତରୀଣ କ୍ଷତ ଚିହ୍ନ ବି ନାହିଁ। ସେହିପରି ମହିଳା ଦେଇଥିବା ବୟାନରେ ତାଳମେଳ ନାହିଁ।

ସାକ୍ଷୀମାନଙ୍କର କ୍ରସ୍‌ ଏକ୍ଜାମିନେସନ୍‌ରେ ମଧ୍ୟ ଅନେକ ପାର୍ଥକ୍ୟ ରହିଛି। ଏସବୁ ଦେଖିବା ପରେ ଲାଗୁଛି ଯେ ଅଭିଯୁକ୍ତ ଜଣଙ୍କୁ ଭୁଲ୍‌ରେ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ତେଣୁ ତଳ କୋର୍ଟ ଦେଇଥିବା ରାୟକୁ ରଦ୍ଦ କରାଯାଉଛି ଓ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉଛି ବୋଲି କୋର୍ଟ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos