ଯେଉଁଠି ଦୀର୍ଘ ବର୍ଷ ଧରି ପିଅନ ଥିଲେ, ଆଜି ସେଠି ସେ ଆସିଷ୍ଟାଣ୍ଟ ପ୍ରଫେସର

ମୁଙ୍ଗେର: ଯେଉଁଠି ଇଚ୍ଛା ଅଛି, ସେଟି ବାଟ ବି ଅଛି। ଇଚ୍ଛା ଶକ୍ତି ଆଗରେ କୌଣସି ବି ପ୍ରତିକୂଳ ପରିସ୍ଥିତି କିଛି ବି କରିପାରିବ ନାହିଁ। ଏହି ଲୋକକଥାକୁ ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି ଜଣେ ୪୨ ବର୍ଷୀୟ ବ୍ୟକ୍ତି। ଏହି ବ୍ୟକ୍ତି ଜଣଙ୍କ ଯେଉଁ ବିଶ୍ୱବିଦ୍ୟାଳୟରେ ପ୍ରାୟ ୨୦ ବର୍ଷ ହେଲା ପିଅନ ଓ ରାତ୍ରି ଜଗୁଆଳି ଭାବେ କାମ କରୁଥିଲେ, ଆଜି ସେହି ସ୍ଥାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇଛନ୍ତି।

କାହା ଦୟା କିମ୍ବା ସୁପାରିସ ବଳରେ ନୁହେଁ। ବରଂ ସେ କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁ ଏପରି ସଫଳତା ହାସଲ କରିଛନ୍ତି। ସେହିପରି ରାତାରାତି ସେ ସଫଳତା ପାଇନାହାନ୍ତି। ସଫଳତା ପାଇବାକୁ ତାଙ୍କୁ ଅନେକ ଘାତପ୍ରତିଘାତର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଛି। ଦୀର୍ଘ ବର୍ଷର ସଂଘର୍ଷ ପରେ ଶେଷରେ ସେ ସଫଳତାର ସ୍ୱାଦ ଚାଖିଛନ୍ତି। ଏବେ ଏହି ବ୍ୟକ୍ତିଙ୍କ ସଫଳଯାତ୍ରାର କାହାଣୀ ଅନେକୁ ପ୍ରେରଣା ଯୋଗାଇବା ଆରମ୍ଭ କରିଛି।

କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ୪୨ ବର୍ଷୀୟ କମଳ କିଶୋର ମଣ୍ଡଳ। ତାଙ୍କ ଘର ବିହାରର ଭାଗଲପୁର ସହରର ମୁଣ୍ଡିଛକ ଅଞ୍ଚଳରେ। ୨୦୦୩ ମସିହାରେ କମଳ କିଶୋରଙ୍କୁ ଯେତେବେଳେ ୨୩ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ମୁଙ୍ଗେର ସ୍ଥିତି ଆରଡି ଆଣ୍ଡ ଡିଜେ କଲେଜରେ ରାତ୍ରି ଜଗୁଆଳି ଭାବେ କାମ ଆରମ୍ଭ କରିଥିଲେ।

ଏହି ସମୟରେ ସେ ରାଜନୀତି ବିଜ୍ଞାନରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରି ସାରିଥିଲେ। ଆଗକୁ ପଢ଼ିବାକୁ ଇଚ୍ଛାଥିଲା ମଧ୍ୟ ଆର୍ଥିକ ଅନଟନ ତାଙ୍କୁ ଚାକିରି କରିବାକୁ ବାଧ୍ୟ କରିଥିଲା। ତେବେ ରାତ୍ରି ଜଗୁଆଳି ଭାବେ କାମ କରିବାର ମାସକ ପରେ କମଳ କିଶୋରଙ୍କୁ ତିଲକ ମାଞ୍ଝୀ ଭାଗଲପୁର ବିଶ୍ୱବିଦ୍ୟାଳୟର ଆମ୍ବେଦର ଚିନ୍ତାଧାରା ଓ ସାମାଜିକ କାର୍ଯ୍ୟ ବିଭାଗ(ପୋଷ୍ଟ ଗ୍ରାଜ୍ୟୁଏଟ)କୁ ବଦଳି କରାଯାଇଥିଲା। ଏହି ବଦଳି ବା ଡେପୁଟେସନ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ଏଠାରେ ରାତ୍ରି ଜଗୁଆଳି ଭାବେ କାମ କରିବା ସହ ସେ ପାଠ ମଧ୍ୟ ପଢ଼ିବା ଆରମ୍ଭ କରିଥିଲେ। ୨୦୦୮ରେ ତାଙ୍କୁ ରାତ୍ରି ଜଗୁଆଳିରୁ ପ୍ରମୋସନ ମିଳି ପିଅନ ପଦରେ ନିଯୁକ୍ତି ଦିଆଯାଇଥିଲା।

ବିଶ୍ୱବିଦ୍ୟାଳୟକୁ ପିଲାମାନେ ପାଠପଢ଼ିବାକୁ ଆସୁଥିବା ଦେଖି ସେ ମଧ୍ୟ ଶିକ୍ଷାଲାଭ କରିବାକୁ ଆଗ୍ରହ ଦେଖାଇଥିଲେ। ଏଥିସହ ପାଠ ମଧ୍ୟ ପଢ଼ିଥିଲେ। କମଳ କିଶୋର କହିଛନ୍ତି, “ମୁଁ ପିଅନ ଭାବେ କାମ କରୁଥିବା ବିଭାଗ ନିକଟରେ ପାଠପଢ଼ିବାକୁ ଅନୁମତି ମାଗିଥିଲି। ସେମାନେ ମଧ୍ୟ ମନା କରି ନଥିଲେ। ତୁରନ୍ତ ମୁଁ ପାଠପଢ଼ା ଆରମ୍ଭ କରିବା ସହ ଆମ୍ବେଦକର ଚିନ୍ତାଧାରା ଓ ସାମାଜିକ କାର୍ଯ୍ୟ ଏମଏ କରିଥିଲି।”

୨୦୦୯ରେ ଏମଏ ସରିବା ପରେ ସେ ପିଏଚ୍‌ଡି କରିବାକୁ ଅନୁମତି ମାଗିଥିଲେ। କିନ୍ତୁ ବିଭାଗ ୩ ବର୍ଷ ପରେ ଏଥିପାଇଁ ଅନୁମତି ଦେଇଥିଲା। ୨୦୧୨ରେ ଅନୁମତି ମିଳିବା ପରେ ସେ ୨୦୧୩ରେ ପିଏଚ୍‌ଡି ପାଇଁ ପଞ୍ଜିକରଣ କରିଥିଲେ। ୨୦୧୭ରେ ସେ ଥେସିସି ଦାଖଲ କରିଥିଲେ। ୨୦୧୯ରେ ତାଙ୍କୁ ପିଏଚଡି ଡିଗ୍ରୀରେ ଭୂଷିତ କରାଯାଇଥିଲା।

ଏସବୁ ଭିତରେ ସେ ଏନଇଟିରେ କୃର୍ତ୍ତକାର୍ଯ୍ୟ ହୋଇ ଶିକ୍ଷକତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଓ ଚାକିରି ପାଇଁ ଅପେକ୍ଷା କରି ରହିଥିଲେ। ତେବେ ଏହି ଅପେକ୍ଷାର ଅନ୍ତ ୨୦୨୦ରେ ହୋଇଥିଲା। ବିହାର ରାଜ୍ୟ ବିଶ୍ୱବିଦ୍ୟାଳୟ ସେବା କମିଶନ ୪ଟି ଆସିଷ୍ଟାଣ୍ଡ ପ୍ରଫେସର ପଦ ପାଇଁ ବିଜ୍ଞାପନ ଦେଇଥିଲା। ଆବେଦନ ପରେ ୧୨ ଜଣ ଆଶାୟୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକା ଯାଇଥିଲା। ଇଣ୍ଟରଭ୍ୟୁ ପରେ କମଳ କିଶୋରଙ୍କୁ କର୍ତ୍ତୃପକ୍ଷ ଆମ୍ବେଦକର ଚିନ୍ତାଧାରା ଓ ସାମାଜିକ କାର୍ଯ୍ୟର ଆସିଷ୍ଟାଣ୍ଟ ପ୍ର‍ଫେସର ଭାବେ ଚୟନ କରିଛନ୍ତି।

ଏହି ବିଭାଗରେ ସେ ଦିନେ ପିଅନ ଭାବେ କାମ କରୁଥିଲା। ଚୟନ ପ୍ରକ୍ରିୟାର ରେଜଲ୍ଟ ୨୦୨୨ ମେ’ ୧୯ରେ ରେଜଲ୍ଟ ପ୍ରକାଶ ପାଇଥିଲା। କମଳ କିଶୋରଙ୍କ ନାଁ ଥିବାରୁ ସେ ଖୁସିରେ ନାଚି ଉଠିଛନ୍ତି। ଏବେ ସେ ୬୫ ବର୍ଷ ବୟସ ଯାଏ ଆସିଷ୍ଟାଣ୍ଟ ପ୍ର‍ଫେସର ଭାବେ କାମ କରିପାରିବେ।

କିଶୋର ମଣ୍ଡଳଙ୍କ ବାପା ଗୋପାଳ ଏବେ ବି ରାସ୍ତା କଡ଼ରେ ଚା’ ବିକ୍ରି କରି ପରିବାର ଚଳାଉଛନ୍ତି। କମଳ କିଶୋର ଏହି ସଫଳତାର ସବୁ ଶ୍ରେୟ ବିଭାଗର ଅଧିକାରୀ ଓ ଶିକ୍ଷକମାନଙ୍କୁ ଦେଇଛନ୍ତି। ସେମାନେ ହିଁ ତାଙ୍କୁ ଆଗକୁ ବଢ଼ାଇବାକୁ ପ୍ରେରଣ ଦେଇଥିଲେ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।