ଥିରୁଅନନ୍ତପୁରମ: ଜଣେ ଛଅ ବର୍ଷର ବାଳକର ଛାତିକୁ ଗୋଇଠା ମାରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଘଟଣାର ଭିଡିଓଟି ସୋଶାଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବା ପରେ ତଥା ସ୍ଥାନୀୟ ଟିଭି ଚ୍ୟାନେଲ ଗୁଡ଼ିକରେ ଖବର ପ୍ରସାରଣ ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାଟି ଘଟିଛି କେରଳର କନ୍ନୁର ଜିଲ୍ଲାର ଥାଲାସେରୀରେ।
ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି ଯେ ଏକ ବ୍ୟସ୍ତ ବହୁଳ ରାସ୍ତା ଉପରେ କାର୍ଟିଏ ଛିଡ଼ା ହୋଇଛି। ଛଅ ବର୍ଷର ଉକ୍ତ ବାଳକଟି କାର୍ରେ ଆଉଜି ଛିଡ଼ା ହୋଇଛି। ଏହି ସମୟରେ କାର ଚାଳକ ତା’ ପାଖକୁ ଆସିଛନ୍ତି ଓ ତା’ ଛାତିରେ ଗୋଇଠା ମାରିଛନ୍ତି। ଏହା ପରେ ପିଲାଟି କୌଣସି ପ୍ରତିବାଦ ନକରି ଚୁପ୍ଚାପ ସେଠାରୁ ଘୁଞ୍ଚିଯାଉଛି। ସେହିପରି ଚାଳକ ଯାଇ କାର୍ ଭିତରେ ବସୁଛନ୍ତି। ତେବେ ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ପ୍ରତିବାଦ କରିଛନ୍ତି। ସେମାନେ କାର୍ ନିକଟରେ ରୁଣ୍ଡ ହୋଇଛନ୍ତି। କାର୍ ଚାଳକଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ବି ହୋଇଛି।
ଲୋକଙ୍କ ସହିତ ମୁହାଁମୁହିଁ ହେବା ପରେ ଅଭିଯୁକ୍ତ ସେଠାରୁ ପଳାଇଥିଲେ। ଏହା ପରେ ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ ତଥା ଓକିଲ ଏନେଇ ପୁଲିସ୍ରେ ଏଫ୍ଆଇଆର ଦେଇଥିଲେ। ପୁଲିସ୍ ଅଭିଯୁକ୍ତକୁ ଥାନାକୁ ଡାକିଥିଲା। ମାତ୍ରା ସାମାନ୍ୟ ପଚରାଉଚରା କରି ଛାଡ଼ି ଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେବେ ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବା ପରେ ତଥା ଟିଭି ଚ୍ୟାନେଲ୍ରେ ଖବର ପ୍ରସାରଣ ପରେ ପୁଲିସ୍ ଆଜି କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି।
ସୂଚନାଯୋଗ୍ୟ, ଉକ୍ତ ଛୋଟ ବାଳକଟି ରାଜସ୍ଥାନର ବାସିନ୍ଦା। ତା’ ବାପାମା’ ଥାଲାସେରୀରେ ଦିନ ମଜୁରିଆ ଭାବେ କାମ କରନ୍ତି।
God's Own County has become the Devil's Own Land under the @pinarayivijayan regime. A six-year-old Rajasthani boy was kicked and manhandled for leaning on a car. This inhuman incident happend in Thalassery, Kannur.@PrakashJavdekar @AgrawalRMD @BJP4India pic.twitter.com/R0m9nd1sFQ
— K Surendran (@surendranbjp) November 4, 2022