ସିକ୍ୟୁରିଟି ଗାର୍ଡଙ୍କୁ ଗଛରେ ଓଲଟା ଝୁଲାଇ ପ୍ରବଳ ପିଟିଲେ
ରାୟପୁର: ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ର ବିଲାସପୁର ଜିଲ୍ଲା ସିପତ ସହରରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗଛରେ ଓଲଟା ଝୁଲାଇ କିଛି ଯୁବକ ପ୍ରବଳ ମାଡ଼ ମାରିଛନ୍ତି। ଚୋରି ସନ୍ଦେହରେ ତାଙ୍କ ସହ ଏପିରି ଅମାନବୀୟ କାଣ୍ଡ ଯୁବକମାନେ ଘଟାଇଥିବା କୁହାଯାଉଛି।
ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସିକ୍ୟୁରିଟି ଗାର୍ଡ ମହାବୀରଙ୍କୁ କିଛି ଯୁବକ କାଠ ଫାଳିଆ ଓ ହାତରେ ମାଡ଼ ମାରୁଛନ୍ତି। ସେ ଯନ୍ତ୍ରଣା ସହି ନ ପାରି କାନ୍ଦିବା ସହ ଛାଡ଼ି ଦେବାକୁ ନେହୁରା ହେଉଥିଲେ ମଧ୍ୟ କେହି ବି ତାଙ୍କ କଥା ଶୁଣୁ ନାହାନ୍ତି। ଆଉ ଗୋଟିଏ ଭିଡିଓରେ ମହାବୀରଙ୍କ ଗୋଡ଼କୁ ଗଛର ଡାଳରେ ବାନ୍ଧି ଓଲାଟା ଝୁଲାଇ ଦିଆଯାଇଛି। ସେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ ଯୁବକମାନେ ତାଙ୍କୁ ବାରମ୍ବାର ମାଡ଼ ମାରି ଚାଲିଛନ୍ତି।
ଘଟଣାର ଭିଡିଓକୁ ଆଧାର କରି ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ଏଥିସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍ ରେଡ୍ ମଧ୍ୟ କରୁଛି।
ସିପତ ସହରର ଷ୍ଟେସନ ହାଉସ ଅଫିସର ବିକାଶ କୁମାର କହିଛନ୍ତି, ଅଭିଯୁକ୍ତ ମନୀଷର ଘରେ ମାଡ଼ ଖାଇଥିବା ମହାବୀର ଚଳିତ ସପ୍ତାହରେ ଚୋରି ପାଇଁ ପ୍ରବେଶ କରିଥିଲା। କିନ୍ତୁ ପରିବାର ଲୋକ ତାଙ୍କୁ ସେଠାରେ କାବୁ କରି ନେଇଥିଲେ। ଏହାପରେ ଉଭୟ ପକ୍ଷଙ୍କୁ ପୁଲିସ୍ ଷ୍ଟେସନକୁ ଡକା ଯାଇଥିଲା। ଥାନାରେ ମନୀଷ ମାମଲାର ବୁଝାମଣା କରିବାକୁ ପରାମର୍ଶ ଦେବାରୁ ମହାବୀରଙ୍କୁ କେବଳ ସତର୍କ କରାଇ ଛାଡ଼ି ଦିଆଯାଇଥିଲା।
ତେବେ ଗୁରୁବାର ଦିନ ଗାଁର ଜଣେ ମହିଳା ପୁଲିସ୍ ଷ୍ଟେସନକୁ ଆସିବା ସହ ମହାବାରୀଙ୍କୁ କିଛି ଯୁବକ ମାଡ଼ ମାରୁଥିବା ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହାବୀରଙ୍କୁ ଉଦ୍ଧାର କରିଥିଲା ବୋଲି ବିକାଶ କୁମାର କହିଛନ୍ତି।
ମହାବୀର ପୁଣିଥରେ ମନୀଷଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ପଶିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ମନୀଷ ଓ ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ନିକଟସ୍ଥ ପ୍ଲଟକୁ ନେଇ ମାଡ଼ ମାରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।