ପୌରପାଳିକା କଣ୍ଟେନର ଭିତରେ ନାବାଳିକାକୁ ଦୁଷ୍କର୍ମ

ଭୋପାଳ: ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗୁଜାରଟର ଜଣେ ୩୩ ବର୍ଷୀୟ ବ୍ୟକ୍ତି ମଧ୍ୟପ୍ରଦେଶର ଭୋପାଳରେ ନାରକୀୟ କାଣ୍ଡ ଘଟାଇଛି। ବ୍ୟକ୍ତି ଜଣଙ୍କ ଜଣେ ୮ ବର୍ଷୀୟ ଝିଅଙ୍କୁ ପୌରପାଳିକାର ବିରାଟ କଣ୍ଟେନର ଭିତରେ ଦୁଷ୍କର୍ମ କରିଛି। ଶନିବାର ପ୍ରାୟ ଦିନ ୧ଟା ବେଳେ ଭୋପାଳର ଅଯୋଧ୍ୟା ନଗର ପୁଲିସ୍‌ ଷ୍ଟେସନ ଅଧୀନରେ ଏହା ଘଟିଛି। ନାବାଳିକା ଜଣଙ୍କ ଅଭିଯୁକ୍ତଙ୍କ ଘର ସାମ୍ନାରେ ଖେଳୁଥିବା ବେଳେ ସେ ଏଭଳି କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ଖେଳୁଥିବା ବେଳେ ବ୍ୟକ୍ତି ଜଣକ ତାଙ୍କ ପାଖକୁ ଆସି ନିକଟସ୍ଥ ଦୋକାନରୁ ଗୁଟଖା ପାଉଚ ଆଣିବାକୁ କହିଥିଲା। ନାବାଳିକା ଜଣଙ୍କ ମଧ୍ୟ କଥା ମାନି ଗୁଟଖା ଆଣିବାକୁ ଯାଇଥିଲେ। ସେ ଫାରିବା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ପୌରପାଳିକାର ପଛ ପଟେ ଥିବା ବ୍ୟକ୍ତିଙ୍କୁ ଏହା ଦେବାକୁ କହିଥିଲେ।

ଝିଅଟି କଣ୍ଟେନର ଆଡ଼କୁ ଯିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ପଛପଟୁ ଟେକି ନେଇ କଣ୍ଟେନର ଭିତରକୁ ଚାଲି ଯାଇଥିଲା। ସେଠାରେ ସେ ବଳପୂର୍ବକ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଘଟଣାପରେ ସ୍ତବ୍ଧ ହୋଇଯାଇଥିବା ନାବାଳିକା ଜଣଙ୍କ ଏ ବିଷୟରେ ପ୍ରଥମେ ତାଙ୍କ ସମ୍ପର୍କୀୟ ଆଈଙ୍କୁ ଜଣାଇଥିଲେ। ସେ ହିଁ ପୁଲିସ୍‌କୁ ଏ ବିଷୟରେ ସୂଚନା ଦେଇଥିଲେ।

ଅଭିଯୋଗ ପରେ ପୁଲିସ୍‌ ୮ଟି ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ବାହାରୁ ଅଯୋଧ୍ୟା ନଗର ଜେଜେ କ୍ଲଷ୍ଟରକୁ ଯାଇଥିବା ପ୍ରାୟ ୪୦ ଜଣଙ୍କ ଫଟୋ ବାହାର କରାଯାଇଥିଲା। ପୀଡ଼ିତା ଜଣଙ୍କ ଉକ୍ତ ଫଟୋରୁ ଜଣଙ୍କୁ ଚିହ୍ନଟ କରିଥିଲେ। ଶେଷରେ ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।

ଘଟଣା ପରେ ବ୍ୟକ୍ତି ଜଣଙ୍କ ଗୁଜରାଟ ଚାଲିଯିବାକୁ ଉଦ୍ୟମ କରିଥିଲା। ହେଲେ ରବିବାର ଭୋପାଳରେ ଲକଡାଉନ ଲାଗୁ ହୋଇଥିବାରୁ ସେ ତା’ ଯୋଜନାକୁ କାର୍ଯ୍ୟକାରୀ କରିପାରି ନଥିଲା। ପୁଲିସ୍‌ ଏବେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।