କରୱାଚୌଥରେ ଗର୍ଲଫ୍ରେଣ୍ଡଙ୍କ ସହ ଶପିଂ କରୁଥିଲେ ସ୍ୱାମୀ, ରାସ୍ତାରେ ପିଟିଲେ ସ୍ତ୍ରୀ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଗୋଟିଏ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ। ଏଥିରେ ଥିବା ଦୃଶ୍ୟ କୌଣସି ବଲିଉଡ ଫିଲ୍ମର ଆକ୍ସନ ସେନ୍ସ ଠାରୁ କମ ନୁହେଁ। ଗାଜିଆବାଦର ଗୋଟିଏ ଜନଗହଳୀପୂର୍ଣ୍ଣ ରାସ୍ତାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପ୍ରବଳ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ସ୍ୱାମୀଙ୍କ ଦୋଷ ହେଲା ଯେ ସେ କରୱାଚୌଥରେ ସ୍ତ୍ରୀଙ୍କୁ ଛାଡ଼ି ଗର୍ଲଫ୍ରେଣ୍ଡଙ୍କ ସହ ଶପିଂ କରୁଥିଲେ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ କରୱାଚୌଥ ବ୍ରତ ରଖିଥିବା ବେଳେ ସେ ଅନ୍ୟ ମହିଳାଙ୍କ ସହ ମଉଜ କରିବା ବେଳେ ରଙ୍ଗେହାତ ଧରାପଡ଼ିଛନ୍ତି।

ଏବେ ସ୍ୱାମୀ-ସ୍ତ୍ରୀଙ୍କ ହାତାହାତି ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପତ୍ନୀ ଓ ତାଙ୍କର କିଛି ବନ୍ଧୁ ସ୍ୱାମୀଙ୍କ କଲାର ଧରି ଘୋଷାଡ଼ିବା ସହ ତାଙ୍କୁ ମାଡ଼ ମାରିଛନ୍ତି। ଏହାକୁ ଶତାଧିକ ଲୋକ ଭିଡ଼ ଜମାଇ ଦେଖିଥିଲେ ମଧ୍ୟ କେହି ବି ପ୍ରତିବାଦ କରି ନାହାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଯେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଚେଷ୍ଟା କରିଥିଲେ ସେତେବେଳେ ସେ ମଧ୍ୟ ମାଡ଼ରୁ ବର୍ତ୍ତି ପାରିନାହାନ୍ତି। ଯେଉଁ ଦୋକାନ ଭିତରେ ଏହା ଘଟିଛି, ତା’ର ମାଲିକ ସମସ୍ତଙ୍କୁ ବାହାରକୁ ଯିବା ପାଇଁ ଚିତ୍କାର କରୁଥିବା ଭିଡିଓରୁ ଶୁଣିବାକୁ ମିଳୁଛି।
ଘଟଣା ପରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏବେ ଘଟଣାର ତଦନ୍ତ କରୁଛି।


ମିଳିଥିବା ସୂଚନା ଅନୁଯାୟୀ, ମାଡ଼ ଖାଇଥିବା ବ୍ୟକ୍ତିଙ୍କ ପତ୍ନୀ ପାରିବାରିବ ବିବାଦ କାରଣରୁ ତାଙ୍କ ବାପା ମା’ଙ୍କ ଘରେ ରହୁଥିଲେ। ତେବେ କରୱାଚୌଥ ଦିନ ସେ ତାଙ୍କ ମା’ଙ୍କ ସହ ଶପିଂ କରିବାକୁ ଆସିଥିଲା। ଏହି ସମୟରେ ସେ ତାଙ୍କ ସ୍ୱାମୀଙ୍କୁ ଆଉ ଜଣେ ମହିଳାଙ୍କ ସହ ଦେଖିବାକୁ ପାଇଥିଲେ। ବାସ୍‌ ଏହି ଘଟଣାକୁ କେନ୍ଦ୍ର କରି ମାର୍କେଟରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।