ପରିଶ୍ରା କରିବାକୁ ବାରଣ କରିବାରୁ ଛୁରୀ ଭୁସି ହତ୍ୟା

ମୁମ୍ବାଇ: “ଆମେ ଏଠି କଥା ହେଉଛୁ। ଆପଣ ଦୟା କରି ଆଉ ଟିକିଏ ଦୂରରେ ଯାଇ ପରିଶ୍ରା କରନ୍ତୁ।” ବାସ୍‌ ଏହି ସମାନ୍ୟ କଥାରୁ ଘଟିଛି ହତ୍ୟାକାଣ୍ଡ। ଦୂରରେ ପରିଶ୍ରା ପାଇଁ କହିଥିବା ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ଜଣେ ଯୁବକ ଅତ୍ୟନ୍ତ ବୀଭତ୍ସ ଭାବେ ଛୁରୀ ଭୁସି ହତ୍ୟା କରିଛି।

ମୁମ୍ବାଇର ଇଷ୍ଟର୍ଣ୍ଣ ଏକ୍ସପ୍ରେସ ଜାତୀୟ ରାଜପଥ ନିକଟରେ ଥିବା ବାଗଲା ଗାର୍ଡେନ ନିକଟରେ ଏପରି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ୪୧ ବର୍ଷୀୟ ମହମ୍ମଦ ରଫିକ ଅନସାରୀ। ତାଙ୍କୁ ୨୪ ବର୍ଷୀୟ ମହମ୍ମଦ ଅବଦୁଲ୍ଲା ଆଲମ ଶେଖ ଛୁରୀ ଭୁସି ହତ୍ୟା କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଅନସାରୀ ତାଙ୍କର ଜଣେ ବନ୍ଧୁଙ୍କ ସହ ବାଗଲା ଗାର୍ଡେନ ନିକଟରେ କଥା ହେଉଥିଲେ। ଏହି ସମୟରେ ଶେଖ ସେଠାକୁ ପରିଶ୍ରା ପାଇଁ ଆସିଥିଲା। ଅନସାରୀ ବନ୍ଧୁଙ୍କ ସହ କଥା ହେଉଥିବାରୁ ଶେଖକୁ ଆଉ ଟିକିଏ ଦୂରରେ ପରିଶ୍ରା କରିବାକୁ ପରାମର୍ଶ ଦେଇଥିଲେ।

ଏହାକୁ ସେ ବେଖାତିର କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବାସ୍‌ ଯୁକ୍ତିତର୍କ ବେଳେ ଶେଖ ନିଜ ପାଖରେ ରଖିଥିବା ଛୁରୀକୁ କାଢ଼ି ଅନସାରୀଙ୍କୁ ବାରମ୍ବାର ଭୁସି ଚାଲିଥିଲା। ତାଙ୍କ ବନ୍ଧୁ ଏହାକୁ ରୋକିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଛୁରୀ ଭୁସି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।

ବନ୍ଧୁ ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ଅନସାରୀଙ୍କୁ ହସ୍ପିଟାଲ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସ୍ ଶେଖକୁ କିଛି ସମୟ ପରେ ଗିରଫ କରିଥିଲା।

ଉଭୟଙ୍କ ମଧ୍ୟରୁ ପୂର୍ବରୁ କିଛି ଶତ୍ରୁତା ଥିଲା ନା କେବଳ ପରିଶ୍ରା ଘଟଣାକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଛି, ଏବେ ପୁଲିସ୍ ଏହାର ଯାଞ୍ଚ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।