ଭାବୁଥିଲେ ଘରୁ ‘ଜିନ୍ନ’ ଚୋରି କରୁଛି ସୁନା, କିନ୍ତୁ..

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଏଠାରେ ଜଣେ ବ୍ୟବସାୟୀଙ୍କ ଘରୁ ପର୍ଯ୍ୟାୟକ୍ରମେ ସୁନା ଅଳଙ୍କାର ଗାଏବ ହେଉଥିଲେ ମଧ୍ୟ ସେ ପୁଲିସ୍‌ରେ ଅଭିଯୋଗ କରୁ ନଥିଲେ। ସେ ଭାବୁଥିଲେ ଯେ ସୁନା ଗାଏବ ହେବା ପଛରେ ଜିନ୍ନ ବା କୁହୁକ ଶକ୍ତିର ହାତ ରହିଛି। ପ୍ରଥମେ ଚୋରି ଫେବୃଆରୀ ମାସରେ ହୋଇଥିଲା। ଏହାର ଆଉ କିଛି ମାସ ମଧ୍ୟରେ ପୁଣି ସୁନା ଅଳଙ୍କାର ଗାଏବ ହୋଇଥିଲା। ତଥାପି ସେ ପୁଲିସ୍‌ରେ ଜିନ୍ନକୁ ଚୋର ଭାବି ଅଭିଯୋଗ କରି ନଥିଲେ।

ତେବେ ସେପ୍ଟେମ୍ବର ମାସରେ ସେ ବାଧ୍ୟ ହୋଇ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସୁନା ଅଳଙ୍କାର ସହ ନଗଦ ଟଙ୍କା ଗାଏବ ହେବାରୁ ତାଙ୍କର ସନ୍ଦେହ ହୋଇଥିଲା ଓ ସେ ପୁଲିସ୍‌ ପାଖରେ ପହଞ୍ଚିଥିଲେ। ବ୍ୟବସାୟୀ ଅବଦୁଲକାଦେର ଶବିର ଘୋଘାୱାଲା କହିଛନ୍ତି, “ଜିନ୍ନ କେବେ ହେଲେ ଟଙ୍କା ଚୋରି କରେ ନାହିଁ। ହେଲେ ଏବେ ଘରୁ ଟଙ୍କା ଚୋରି ହୋଇଛି। ତେଣୁ ଏହା ପଛରେ ଜିନ୍ନ ନୁହେଁ ବରଂ ଆଉ କାହାର ହାତ ରହିଥିବା ସନ୍ଦେହ ହୋଇଥିଲା। ତେଣୁ ପୁଲିସ୍‌ରେ ଅଭିଯୋଗ କରିଛି।”

ବାଇକୁଲ୍ଲା ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଶବିରଙ୍କ ଘରୁ ପର୍ଯ୍ୟାୟକ୍ରମେ ୪୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଯାଇଛି। ପ୍ରାଥମିକ ଅବସ୍ଥାରେ ପୁଲିସ୍‌ ଘର ଭିତରେ ରହୁଥିବା କେହି ଏପରି ଘଟଣା ଘଟାଇଥିବା ଆଶଙ୍କା କରିଥିଲା। ଏହାକୁ ଆଧାର କରି ପୁଲିସ୍‌ ତଦନ୍ତ କରିଥିଲା ଓ ଦିନକ ଭିତରେ ଅଭିଯୁକ୍ତ ପାଖରେ ପହଞ୍ଚି ଯାଇଥିଲା।

ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବ୍ୟବସାୟୀ ଶବିରଙ୍କ ୧୨ ବର୍ଷୀୟ ଭାଣେଜୀ। ସେ ପୁଲିସ୍‌ ଆଗରେ କହିଛନ୍ତି ଯେ ସୁରତରେ ରହୁଥିବା ଜଣେ ସମ୍ପର୍କୀୟ ହିଁ ମାମୁଙ୍କ ଘରୁ ଏପରି ଚୋରି କରିବାକୁ ଉସକାଥିଲେ। ପୁଲିସ୍‌ ଏହି ବୟାନକୁ ଆଧାର କରି ଷଡ଼ଯନ୍ତ୍ରକାରୀ ସମ୍ପର୍କୀୟ ଓ ତାଙ୍କର ଦୁଇ ସାଙ୍ଗଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଚୋରି ହୋଇଥିବା ୪୦.୧୮ ଲକ୍ଷ ମୂଲ୍ୟର ସୁନାର ଅଳଙ୍କାର ଓ ନଗଦ ଟଙ୍କା ମଧ୍ୟ ଜବତ କରିଛି। ତେବେ ନାବାଳିକା ଭାଣେଜୀ ବିରୋଧରେ ଏଯାଏ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।