ଦିଲ୍ ଭାଙ୍ଗିଦେଲା ଦିଲ୍ଲୀ, ଖାଲି ହାତରେ ଚାଲିଚାଲି ଘରକୁ ଫେରିଲେ

ନୂଆଦିଲ୍ଲୀ: ସପନର ସଉଦା କିଣିବାକୁ ଯାଇଥିଲେ ସହର। ହେଲେ ସଉଦା କିଣିବା ପୂର୍ବରୁ ସହରର ସେହି ମାୟାଜାଲ୍‌ରେ ଛନ୍ଦି ହୋଇପଡ଼ିଲେ ବେରଜୋମ୍ ବାମଡା ପାହାଡିୟା। ଚାକିରି ଦେବା ପାଇଁ ଡାକିଥିବା ଏଜେଣ୍ଟ ତାଙ୍କୁ ଠକିଦେଲା। ଆଉ ପାଖରେ ଥିବା ସମ୍ୱଳ ସରିଗଲା। ଉପବାସରେ କିଛି ଦିନ ରହିବା ପରେ ଘରକୁ ଫେରିବାକୁ ଚାହିଁଲେ ବେରଜୋମ୍ ବାମଡା ପାହାଡିୟା। ପାଖରେ ଟଙ୍କା ନଥିବାରୁ ଉପାୟ ଶୂନ୍ୟ ହୋଇ ଦିଲ୍ଲୀରୁ ଝାଡ଼ଖଣ୍ଡ ୧୨୦୦ କିମି ପାଦରେ ଚାଲି ଚାଲି ଗାଁକୁ ଫେରିଲେ।

ବେରଜୋମ୍ ବାମଡା ପାହାଡିୟାଙ୍କ ଘର ଝାଡ଼ଖଣ୍ଡ ସାହିବଗଞ୍ଜରେ। ପରିବାରର ଆର୍ଥିକ ଯନ୍ତ୍ରଣା ତାଙ୍କୁ ବ୍ୟଥିତ କରିଥିଲା। ସେଥିପାଇଁ ଜଣେ ଏଜେଣ୍ଟ ମାଧ୍ୟମରେ ଚାକିରି କରିବାକୁ ଧାଇଁଯାଇଲେ ରାଜଧାନୀ ଦିଲ୍ଲୀ। ହେଲେ ଯେଉଁ ଏଜେଣ୍ଟ ଚାକିରି ଦେବ ବୋଲି କହିଥିଲେ, ସେ ଠକିଦେଲେ। ଦୁଃର୍ଭାଗ୍ୟକୁ ବେରଜୋମଙ୍କ ଅଣ୍ଟିରେ ଥିବା ସ୍ୱଳ୍ପ ଟଙ୍କା ମଧ୍ୟ ଚୋରି ହୋଇଗଲା। ଅପରିଚିତ ସହରରେ ଅସହାୟ ହୋଇ ଘୂରି ବୁଲିଲେ ବେରଜୋମ୍ ବାମଡା ପାହାଡିୟା। ତାଙ୍କ ଅସହାୟତା ଦେଖି କେତେକ ଲୋକ ସାହାଯ୍ୟ କରିଥିଲେ।

ହେଲେ ସେହି ପଇସାରେ ଘରକୁ ଫେରିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ଟ୍ରେନ ଟିକେଟ ପାଇଁ ଭଡ଼ା ନଥିବାରୁ କିଛି ଚିନ୍ତାନକରି ସେ ରେଳ ଲାଇନରେ ଚାଲିଲେ ନିଜ ଗାଁକୁ। ୧୨୦୦ କିମିର ଯାତ୍ରା କୌଣସି ଯନ୍ତ୍ରଣାଠାରୁ କମ୍‌ ନଥିଲା। ରାସ୍ତାରେ ଭୋକ ଲାଗିଲେ ପାଣି ପିଉଥିଲେ। ଯିଏ ଯାହା ଦେଲା, ସେଥିରେ ଭୋକ ମେଣ୍ଟାଇ ଥିଲେ। ରାତି ହେଲେ ଯେଉଁଠି ପାରୁଥିଲେ, ସେଠି ଶୋଇପଡ଼ୁଥିଲେ। ଏହି ଯନ୍ତ୍ରଣାଥିଲା ପାଖାପାଖି ୫ ମାସର।

ବେରଜୋମ୍ ବାମଡା ପାହାଡିୟା ଧାନବାଦ ସ୍ଥିତ ମହୁଡାରେ ପହଞ୍ଚିଥିଲେ। ସେଠାରେ ସେ ପୁଣିଥରେ ଲୁଟ୍‌ ଶିକାର ହେଲେ। ଯେଉଁ ବ୍ୟାଗଟି ଲୁଟେରା ଚୋରି କରିଥିଲେ,  ସେଥିରେ ତାଙ୍କର ଆଧାର କାର୍ଡ ଓ କିଛି ପଇସା ଥିଲା ବୋଲି ବେରଜୋମ୍ ବାମଡା କହିଛନ୍ତି।

ଏହାପରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ସାମ୍ନା କରିଥିଲେ ଏହି ବୃଦ୍ଧ ଜଣଙ୍କ। ଆଉ ସଙ୍ଗେସଙ୍ଗେ ସେହି ବ୍ୟାଙ୍କ କର୍ମଚାରୀ କିଛି ପଇସା ଦେଇଥିଲେ ଏବଂ ଧାନବାଦରୁ ସେ ତାଙ୍କ ଗାଁ ସାହିବଗଞ୍ଜକୁ ବସରେ ଫେରିଛନ୍ତି। ଧାନବାଦ ଡିଆରଏମ ଡିଭିଡନର ମୁଖ୍ୟ ଆଶିଷ ବନଶାଲ କିଛି ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଏତେବାଟ ଜଣେ ଚାଲିଚାଲି ଆସିଲେ ହେଲେ ରେଳ ବିଭାଗର କୌଣସି ଅଧିକାରୀଙ୍କ ନଜରରେ ନପଡ଼ିବା ଦୁର୍ଭାଗ୍ୟ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।