କ୍ୟାମ୍ପସରୁ ୫୯ କରୋନା ଆକ୍ରାନ୍ତ ଚିହ୍ନଟ, କଣ୍ଟେନମେଣ୍ଟ ହେଲା ଏମଆଇଟି

ବେଙ୍ଗାଲୁରୁ: ମହାମାରୀ କରୋନାର ୟୁ-ଟର୍ଣ୍ଣ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କର୍ଣ୍ଣାଟକାର ମନିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି(ଏମଆଇଟି) କ୍ୟାମ୍ପସରୁ ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଡିପି ଜିଲ୍ଲା ପ୍ରଶାସନ ପୂରା କ୍ୟାମ୍ପସକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି।

ମାର୍ଚ୍ଚ ୧୧ରୁ ୧୬ ମଧ୍ୟରେ ଏହି କରୋନା ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। କେବଳ ମାର୍ଚ୍ଚ ୧୫ରେ ୧୭ ଜଣ ଓ ମାର୍ଚ୍ଚ ୧୬ରେ କ୍ୟାମ୍ପସରୁ ୨୫ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଥିବାରୁ କ୍ୟାମ୍ପସ ମଧ୍ୟରୁ ଶିକ୍ଷାର୍ଥୀମାନେ ବାହାରକୁ ଯାଇପାରିବେ ନାହିଁ।

କ୍ୟାମ୍ପସ ମଧ୍ୟରେ ଥିବା ଶିକ୍ଷାର୍ଥୀଙ୍କର ଆଉ ଥରେ କରୋନା ଟେଷ୍ଟ କରାଯିବ। ସେହିପରି ଉପଯୁକ୍ତ ପରିଚୟପତ୍ର ଦେଖାଇବା ପରେ ଫ୍ୟାକଲ୍ଟି ଓ ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କୁ କ୍ୟାମ୍ପସ ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିବ। ମନିପାଲ ହେଉଛି ଗୋଟିଏ କଲେଜ ଟାଉନ।

ତେବେ କଟକଣା କେବଳ ଏମଆଇଟିରେ ଲାଗୁ ହୋଇଛି। ଅନ୍ୟ ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାରର କଟକଣା ଲାଗୁ କରାଯାଇ ନାହିଁ। ଏମଆଇଟି କର୍ତ୍ତୃପକ୍ଷ ଅନଲାଇନରେ ଥିଓରି କ୍ଲାସ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଲ୍ୟାବ ଓ ପ୍ରାଟିକାଲ କ୍ଲାସକୁ ସ୍ଥଗିତ ରଖିଛନ୍ତି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କର୍ଣ୍ଣାଟକାରେ ଆଉ ୧୨୭୫ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଫଳରେ ରାଜ୍ୟରେ ମୋଟ କେସ ଲୋଡ ୯.୬୩ ଲକ୍ଷକୁ ବୃଦ୍ଧି ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।