ପ୍ରଧାନମନ୍ତ୍ରୀଙ୍କ ତଦନ୍ତରେ କ୍ଲିନଚିଟ୍‌ ମିଳିଥିବା ଦାବି କଲେ ସିସୋଦିଆ

ନୂଆଦିଲ୍ଲୀ: ଶିକ୍ଷା ଓ ମଦ ଲାଇସେନ୍ସ ପ୍ରଦାନ ଦୁର୍ନୀତିରେ ଫସିଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ବଡ଼ ଦାବି କରିଛନ୍ତି। ନୂଆ ଅବକାରୀ ନୀତି ମାମଲାରେ ହୋଇଥିବା ରେଡ୍‌ରେ ତାଙ୍କ ପରିବାର କ୍ଲିନଚିଟ୍‌ ପାଇଛନ୍ତି। ସିବିଆଇ ଏହି ମାମଲାରେ ତାଙ୍କ ଘର ଓ ବ୍ୟାଙ୍କ ଲକର ଯାଞ୍ଚ କରିଥିଲା। ହେଲେ ସିବିଆଇକୁ କିଛି ମିଳିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ତଦନ୍ତରେ କ୍ଲିନଚିଟ୍‌ ମିଳି ସାରିଥିବା ସିସୋଦିଆ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି।

ଗାଜିଆବାଦରେ ଥିବା ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକରକୁ ଆଜି ସିବିଆଇ ଯାଞ୍ଚ କରିଥିଲା। ଏହି ରେଡ୍‌ ପରେ ସିସୋଦିଆ ଗଣମାଧ୍ୟମ ଆଗକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ ଲକରରେ ମୋ ପିଲା ଓ ପତ୍ନୀଙ୍କର ୭୦ ହଜାର ଟଙ୍କାର ଅଳଙ୍କାର ରହିଛି। ପ୍ରଧାନମନ୍ତ୍ରୀ ମୋ ଘରେ ରେଡ୍‌ କରାଇଥିବାରୁ ମୁଁ ବହୁତ ଖୁସି। ରେଡ ହୋଇଥିଲେ ବି କିଛି ମିଳିନି। ମୋ ପରିବାର ଓ ମୁଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହୋଇଥିବା ସମସ୍ତ ରେଡ୍‌ ମାମଲାରେ କ୍ଲିନଚିଟ୍ ପାଇଛୁ।”

ରେଡ୍‌ ବେଳେ ସିବିଆଇ ଅଧିକାରୀମାନେ ବେଶ ଭଦ୍ର ବ୍ୟବହାର କରିଥିବା ମଧ୍ୟ ସିସୋଦିଆ ପୁଣି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସିବିଆଇ ଅଧିକାରୀମାନେ ମଧ୍ୟ ଭଲ ଭାବେ ଜାଣିଥିଲେ ଯେ କିଛି ମିଳିବ ନାହିଁ। କିନ୍ତୁ ସେମାନଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଚାପ ରହିଥିଲା। ସେମାନଙ୍କୁ ଯେମିତି ହେଲେ ବି ମୋ ଘରୁ କିଛି ଗୋଟିଏ ଜିନିଷ ବାହାର କରି ମୋତେ ଜେଲକୁ ପଠାଇବା ପାଇଁ ନିର୍ଦ୍ଦେଶ ରହିଥିଲା। ତେବେ ମୋ ଘରକୁ କିଛି ବି ମିଳିନି।”

ଅରିବନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ କରି ସିସୋଦିଆଙ୍କ ଠିକଣାରେ ହେଉଥିବା ରେଡକୁ ଡାର୍ଟି ପଲଟିକ୍ସର ଏକ ଉଦାହରଣ ବୋଲି କହିଛନ୍ତି।

ପ୍ରାୟ ଦୁଇ ସପ୍ତାହ ତଳେ ସିବିଆଇର ଏକାଧିକ ଟିମ ସିସୋଦିଆଙ୍କ ଘର ସମେତ ନୂଆ ଅବକାରୀ ନୀତି ଦୁର୍ନୀତି ଘଟଣାର ୧୪ ଅଭିଯୁକ୍ତଙ୍କ ୩୧ଟି ସ୍ଥାନରେ ପ୍ରାୟ ୧୫ ଘଣ୍ଟା କାଳ ରେଡ କରିଥିଲେ। ହେଲେ ରେଡରୁ କ’ଣ ମିଳିଲା, ସେକଥା ଜଣାପଡ଼ିନି। ଏବେ ପୁଣି ସିସୋଦିଆଙ୍କ ଲକର ଯାଞ୍ଚ କରିଛି ସିବିଆଇ।

ଏହାକୁ ଆଧାର କରି ଗତକାଲି ସିସୋଦିଆ କହିଥିଲେ ଯେ ଲକରରୁ ସେମାନଙ୍କୁ କିଛି ମିଳିବ ନାହିଁ। ଆସନ୍ତାକାଲି(ମଙ୍ଗଳବାର) ସିବିଆଇ ଆମ ବ୍ୟାଙ୍କ ଲକର ଯାଞ୍ଚ କରିପାରେ। ଅଗଷ୍ଟ ୧୯ରେ ମୋ ଘରେ ୧୪ ଘଣ୍ଟା ରେଡ ହୋଇଥିବା ବେଳେ କିଛି ବି ମିଳି ନଥିଲା। ଏବେ ଲକରରୁ ମଧ୍ୟ କିଛି ମିଳିବ ନାହିଁ। ସିବିଆଇକୁ ସ୍ୱାଗତ। ମୋ ପରିବାର ଓ ମୁଁ ସିବିଆଇକୁ ତଦନ୍ତରେ ସବୁ ପ୍ରକାରର ସହଯୋଗ କରିବୁ ବୋଲି ସେ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।