ରାଘବ ଚଢା ହେଲେ ପଞ୍ଜାବ ସରକାରଙ୍କ ପରାମର୍ଶଦାତା, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିରୋଧୀ

ଚଣ୍ଡିଗଡ଼: ପଞ୍ଜାବ ସରକାରଙ୍କ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଚଢା ପଞ୍ଜାବରେ କ୍ଷମତାସୀନ ଆପ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକର ସମୀକ୍ଷା କରିବେ ଓ ଏହାର କାର୍ଯ୍ୟକ୍ଷମ ଉପରେ ନଜର ରଖିବେ। ଏଥିସହ ସରକାରଙ୍କୁ ଆର୍ଥିକ ନୀତି ଗୁଡ଼ିକ ସମ୍ପର୍କରେ ପରାମର୍ଶ ଦେବେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଶ୍ରୀ ଚଢା ହେଉଛନ୍ତି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ସେ ବିଶ୍ୱର ଅନେକ ବଡ଼ବଡ଼ କର୍ପୋରେଟ ଫାର୍ମରେ କାମ କରିଛନ୍ତି। ସେ ଦିଲ୍ଲୀ ଅର୍ଥମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅର୍ଥନୀତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ତାଙ୍କ ନୀତି ଯୋଗୁ ଦିଲ୍ଲୀ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି। ଏଥିସହ ଦିଲ୍ଲୀର ଅର୍ଥନୀତିକ ଅଭିବୃଦ୍ଧି ହୋଇପାରିଛି। ତେଣୁ ଋଣ ଭାରରେ ବୁଡ଼ି ରହିଥିବା ପଞ୍ଜାବ ଭଳି ରାଜ୍ୟ ପାଇଁ ସେ ଗୋଟିଏ ବଡ଼ ସମ୍ପତ୍ତି ସାବ୍ୟସ୍ତ ହେବେ ବୋଲି ବିବୃତିରେ କୁହାଯାଇଛି।

ଶ୍ରୀ ଚଢାଙ୍କ ସମ୍ପର୍କ ଜଲନ୍ଧର ସହ ରହିଛି। ତାଙ୍କ ପରିବାର ଜଲନ୍ଧରରେ ରହୁଥିଲେ। କିନ୍ତୁ କାମ ଅନ୍ୱେଷଣରେ ପୂରା ପରିବାର କିଛି ଦଶନ୍ଧି ତଳେ ଦିଲ୍ଲୀ ଚାଲି ଯାଇଥିଲେ। ରାଘବ ଚଢା ସେଠାରେ ମଧ୍ୟ ନିଜ ମୂଳ ମାଟି ଜଲନ୍ଧର ଓ ପଞ୍ଜାବ କଥା ଭୁଲି ନଥିଲେ। ସେ ଦିଲ୍ଲୀର ପଞ୍ଜାବୀ ଏକାଡେମିକୁ ବିକଶିତ କରିଛନ୍ତି। ଏପରି କରି ସେ ଦିଲ୍ଲୀରେ ପଞ୍ଜାବର ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।


ଅନ୍ୟପକ୍ଷରେ ଆପ ସରକାରଙ୍କ ଏପରି ଫୈସଲାକୁ ବିରୋଧୀ ଦଳଗୁଡ଼ିକ ଟାର୍ଗେଟ କରିଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏପରି ନିଯୁକ୍ତି ଜରିଆରେ ମୁଖ୍ୟମନ୍ତ୍ରୀ ମାନ ସାଂସଦ ଚଢାଙ୍କୁ ରାଜ୍ୟରେ ଅତ୍ୟଧିକ କ୍ଷମତା ପ୍ରଦାନ କରିଛନ୍ତି। ଚଢାଙ୍କୁ ପରାମର୍ଶଦାତା କମିଟିର ମୁଖ୍ୟ ଭାବେ ନିଯୁକ୍ତ କରିବାର ଅର୍ଥ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ସହ ସମାନ। ପଞ୍ଜାବବାସୀ ଏପରି ପରିବର୍ତ୍ତନ ପାଇଁ ଭୋଟ ଦେଇ ନଥିଲେ। ପଞ୍ଜାବ ସରକାରଙ୍କ ମୁଖ୍ୟମନ୍ତ୍ରୀ ମାନ ଏବେ ଠିକାରେ ଦେଇ ଦେବା ଭଳି ମନେ ହେଉଥିବା କଂଗ୍ରେସର ଜଣେ ନେତା କହିଛନ୍ତି।

ଶିରୋମଣି ଅକାଳୀ ଦଳ ମଧ୍ୟ ମାନ ସରକାରଙ୍କୁ ଟାର୍ଗେଟ କରିଛି। ଦଳ ପକ୍ଷରୁ ଟ୍ୱିଟ କରାଯାଇଛି ଯେ “ସର୍କସ ମାଷ୍ଟର ପର୍ଦ୍ଦା ହଟାଇ ଖେଳକୁ ପ୍ରକୃତରେ ପରିଚାଳନା କରୁଥିବା ରାଘବ ଚଢାଙ୍କୁ ବିଧିବଦ୍ଧ ଭାବେ ମଞ୍ଚ ହସ୍ତାନ୍ତର କରିଛନ୍ତି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।