ପ୍ରସାଦ ତିଆରି ବେଳେ ବିସ୍ଫୋରଣ ଘଟଣା: ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଔରଙ୍ଗାବାଦ: ଛଟ ପୂଜା ପାଇଁ ପ୍ରସାଦ ତିଆରି ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ବିହାରର ଔରଙ୍ଗାବାଦର ଗୋଟିଏ ବିଲଡିଂରେ ପ୍ରସାଦ ତିଆରି ଚାଲିଥିବା ବେଳେ ଗ୍ୟାସ ସିଲିଣ୍ତର ବିସ୍ଫୋରଣ ଘଟିବା ସହ ନିଆଁ ଲାଗି ଯାଇଛି। ଏଥିରେ ୭ ପୁଲିସ୍‌ କର୍ମଚାରୀଙ୍କ ସହ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଛଟପୂଜା ପାଇଁ ବିଲଡିଂରେ ରହୁଥିବା ଗୋଟିଏ ପରିବାର ରାତି ପ୍ରାୟ ୨.୩୦ରେ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ଘଟିବା ସହ ପୂରା ବିଲଡିଂରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ବେଳେ ୭ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

ଶାହଗଞ୍ଜ ଅଞ୍ଚଳରେ ରହୁଥିବା ଅନୀଲ ଗୋସ୍ୱାମୀଙ୍କ ପରିବାର ଲୋକ ଛଟପୂଜା ପାଇଁ ଭୋର ହେବା ପୂର୍ବରୁ ପ୍ରସାଦ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ସେଠାରେ ଥିବା କିଛି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯିବା ସହ ବିସ୍ଫୋରଣ ହୋଇଥିଲା। ଗ୍ୟାସ୍‌ ଲିକ ଯୋଗୁ ପୂରା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକଙ୍କ ଯଥା ସମ୍ଭବ ଉଦ୍ୟମ ସତ୍ତ୍ୱେ ନିଆଁ ଲିଭି ନଥିଲା।

ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁ ଲିଭିବା ବଦଳରେ ଆହୁରି ଜୋରରେ ବ୍ୟାପିଥିଲା। ଏଥିସହ ବିଲଡିଂ ମଧ୍ୟରୁ ଏକାଧିକ ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ଏହି ଘଟଣାରେ ୭ ଜଣ ପୁଲିସ୍‌ କର୍ମଚାରୀଙ୍କ ସହ ୩୦ ଜଣ ଆହତ ହୋଇଛନ୍ତି।

ଉଦ୍ଧାକାରୀ ଦଳ ପ୍ରଥମେ ସମସ୍ତଙ୍କୁ ଔରଙ୍ଗାବାଦ ସଦର ହସ୍ପିଟାଲକୁ ନେଇଥିଲା। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି।

ସିଟି ପୁଲିସ୍‌ ଷ୍ଟେସନର ସବ ଇନ୍ସପେକ୍ଟର ବିନୟ କୁମାର ସିଂହ କହିଛନ୍ତି ଯେ ପ୍ରଶାସନ ଏଯାଏ ଅଗ୍ନିକାଣ୍ଡର ପ୍ରକୃତ କାରଣ ବିଷୟରେ କିଛି ବି କହିନି। ହେଲେ ଘରର ମାଲିକ ଅନୀଲ ଗୋସ୍ୱାମୀଙ୍କ କହିବା କଥା ଯେ ଶଟ ସର୍କିଟରୁ ନିଆଁ ଲାଗିଥିଲା। ଏହାପରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।