ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ ମେଘାଳୟ ରାଜ୍ୟପାଳ

ଲକ୍ଷ୍ନୌ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ତିନି ମାସରୁ ଅଧିକ ଦିନ ହେବ ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ଆନ୍ଦୋଳନରତ ଚାଷୀଙ୍କ ଦାବିକୁ ଶୁଣିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି।

ଉତ୍ତର ପ୍ରଦେଶର ବାଗପତରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଆନ୍ଦୋଳନରତ ଚାଷୀଙ୍କୁ ଦିଲ୍ଲୀରୁ ଖାଲି ହାତରେ ଫେରାଇ ଦେବା ଉଚିତ୍ ହେବ ନାହିଁ। ଯଦି କେନ୍ଦ୍ର ସରକାର ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଦେବେ, ତା’ହେଲେ ସେ ଆନ୍ଦୋଳନକୁ ଶେଷ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି, ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଯଦି ସରକାର ଦେବେ, ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନ କେମିତି ଶେଷ ହେବ, ତାହା ମୋ ଦାୟିତ୍ୱ। ଏମିତିକି ସରକାର ଓ ଚାଷୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ମଧ୍ୟ କରାଇଦେବି।

ଶିଖ ସମ୍ପ୍ରଦାୟ ୩୦୦ ବର୍ଷ ପର୍ଯ୍ୟନ୍ତ କୌଣସି ଜିନିଷକୁ ଭୁଲନ୍ତି ନାହିଁ। ଆଜି କୌଣସି ଆଇନ ଚାଷୀଙ୍କ ସ୍ୱାର୍ଥରେ ନାହିଁ। ଯେଉଁ ଦେଶରେ ଚାଷୀ ଏବଂ ଯବାନ ସନ୍ତୁଷ୍ଟ ନୁହଁନ୍ତି, ସେହି ଦେଶରେ ବିକାଶ ହୁଏନି। ତେଣୁ କୃଷକ ଏବଂ ଯବାନମାନଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ତିନି କୃଷି ଆଇନକୁ ନେଇ ବିଜେପି ଯେଉଁ ଯୁକ୍ତି ଦେଇଛି ସେ ବାବଦରେ ମଧ୍ୟ ରାଜ୍ୟପାଳ ସତ୍ୟପାଲ ମଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଚାଷୀମାନେ ଅନ୍ୟ କୌଣସି ସ୍ଥାନରେ ଫସଲ ବିକ୍ରି କରିପାରିବେ ବୋଲି ମଧ୍ୟ ବ୍ୟବସ୍ଥା ରହିଛି। ଏହା ୧୫ ବର୍ଷ ପୁରୁଣା ନିୟମ। କିନ୍ତୁ ଏହା ସତ୍ତ୍ୱେ ଯେତେବେଳେ ମଥୁରାର ଚାଷୀମାନେ ଗହମ ନେଇ ପାଲୱାଲକୁ ଯାଆନ୍ତି, ସେତେବେଳେ ସେମାନଙ୍କ ଉପରେ ଲାଠିରେ ମାଡ଼ ହୁଏ। ସେହିଭଳି ଯେତେବେଳେ ସୋନିପାଟର ଚାଷୀ ନରେଲାକୁ ଯାଆନ୍ତି, ସେମାନଙ୍କୁ ବି ଲାଠିରେ ମାଡ଼ ହୁଏ। ତେଣୁ ତିନି କୃଷି ଆଇନକୁ ନେଇ ଚାଷୀଙ୍କର ଅନେକ ପ୍ରଶ୍ନ ରହିଛି, ଯେଉଁଗୁଡ଼ିକର ଉତ୍ତର ସରକାର ଦେବା ଦରକାର।

ଶ୍ରୀ ମଲିକ କହିଛନ୍ତି ଯେ ସେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଚାଷୀଙ୍କ ଦୁଃଖ ସେ ବୁଝିଛନ୍ତି। ସେ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।