ପଳାତକ ମେହୁଲ ଚୋକ୍ସିଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଜାମିନ ମିଳିଛି। ସେ ମେ’ ୨୩ରୁ ଡୋମିନିକାରୁ ଗିରଫ ହୋଇ ଜେଲ୍‌ରେ ଥିଲେ। କିନ୍ତୁ ଆଜି ତାଙ୍କୁ ଡୋମିନିକାର ଗୋଟିଏ କୋର୍ଟ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ଦେଇଛନ୍ତି।

ତାଙ୍କୁ ଜାମିନ ମିଳିଥିବାରୁ ସେ ପଡ଼ୋଶୀ ଆଣ୍ଟିଗୁଆ ବରମୁଡ଼ା ଯାଇପାରିବେ। ତାଙ୍କୁ ଡୋମିନିକା ହାଇକୋର୍ଟ ଜାମିନ ପାଇଁ ୧୦ ହଜାର ଇସି(ଇଷ୍ଟର୍ଣ୍ଣ କାରେବିୟାନ ଡଲାର) ଜମା କରିବାକୁ କହିଛନ୍ତି।

ଭାରତରୁ ଫେରାର ହେବା ପରେ ସେ ୨୦୧୮ରୁ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ହେଲେ କିଛି ଦିନ ତଳେ ସେ ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ଗିରଫ ହେବା ପରେ ଭାରତର ଗୋଟିଏ ଟିମ୍‌ ସେଠାକୁ ଯାଇଥିଲା। ଚୋକ୍ସିଙ୍କୁ ସେଠାରୁ ଭାରତ ଆଣିବାକୁ ଟିମ୍‌ ପକ୍ଷରୁ ଚେଷ୍ଟା କରାଯାଇଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା

ସୂଚନାଯୋଗ୍ୟ, କାରେବିୟାନ ସମୁଦ୍ରରେ ଚୋକ୍ସି ସମୁଦ୍ରରେ କିଛି ଦସ୍ତାବିଜ୍ ଫୋପାଡ଼ୁ ଥିବା ବେଳେ ପୁଲିସ୍‌ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ପୁଲିସକୁ ଦେଖିବା କ୍ଷଣି ସେ ଦୌଡ଼ିବା ଆରମ୍ଭ କରିଥିଲେ। ପୁଲିସ୍‌ ତାଙ୍କୁ ଦୀର୍ଘ ସମୟ ଧରି ଗୋଡ଼ାଇବା ପରେ ଶେଷରେ କାବୁ କରିଥିଲା।

ତେବେ ପୁଲିସ୍‌କୁ ଦେଖି ଭୟଭୀତ ହେବା ହିଁ ଚୋକ୍ସିଙ୍କୁ ମହଙ୍ଗା ପଡ଼ିଥିଲା। ପୁଲିସ ପ୍ରଥମେ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। କିନ୍ତୁ ସେ ଦୌଡ଼ିବାରୁ ପୁଲିସ ତାଙ୍କ ପିଛା କରିଥିଲା। ଦୌଡ଼ିବା ସମୟରେ ସେ ଦୁଇ ଥର ତଳେ ମଧ୍ୟ ପଡ଼ି ଯାଇଥିଲେ।
ସମୁଦ୍ର କୂଳରେ ଚୋକ୍ସିଙ୍କୁ ଗିରଫ କରିବା ପରେ ତାଙ୍କୁ ଡୋମିନିକା ପୁଲିସ ନିଜ ହେପାଜତକୁ ନେଇଥିଲା। ଗିରଫ ହେବା ପରେ ହିଁ ଚୋକ୍ସି ଜଣେ ଅନ୍ତର୍ଜାତୀୟ ପଳାତକ ବୋଲି ଡୋମିନିକା ସିଆଇଡି ଜାଣିବାକୁ ପାଇଥିଲା। ତାଙ୍କ ନାଁରେ ଇଣ୍ଟରପୋଲ ମଧ୍ୟ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା।

ଚୋକ୍ସି ପୁଲିସ୍‌ ହେପାଜତରୁ ଖସିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ଲାଭ ମିଳି ନଥିଲା। ଅପହରଣ ନାଟକ ରଚିବା ପାଇଁ ଚୋକ୍ସିଙ୍କ ଭାଇ ଡୋମିନିକାର ବିରୋଧୀ ଦଳ ନେତାଙ୍କ ସହାୟତା ଲୋଡ଼ିଥିଲା। ହେଲେ ଏହି ପ୍ରୟାସ ମଧ୍ୟ ସଫଳ ହୋଇ ନଥିଲା। ସମୁଦ୍ର କୂଳରେ ଦୌଡ଼ିବା ବେଳେ ଚୋକ୍ସି ତଳେ ପଡ଼ିବା ଓ ପୁଲିସ୍‌ ତାଙ୍କୁ କାବୁ କରିବା ବେଳେ ସେ ଆହତ ହୋଇଥିବା ଜଣାପଡ଼ିଥିଲା।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ପ୍ରାୟ ୧୪ ହଜାର କୋଟି ଋଣ ଜାଲିଆତି ଘଟଣାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଚୋକ୍ସି। ସେ ୨୦୧୮ରୁ ଆଣ୍ଟିଗୁଆରେ ରହୁଥିଲେ। ସେଠାରୁ କ୍ୟୁବା ଯିବା ପାଇଁ ସେ ଡୋମିନିକାରେ ପହଞ୍ଚିଥିଲେ ବୋଲି କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।