ମୁକୁଲ ରୟଙ୍କ ସୁରକ୍ଷା Y+ରୁ Zକୁ ବଢ଼ିଲା

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ମୁକୁଲ ରୟଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ପୂର୍ବରୁ ୱାଇ ପ୍ଲସ ସୁରକ୍ଷା ବଳୟରେ ରହୁଥିବା ମୁକୁଲ ରୟଙ୍କୁ ଏବେ ଜେଡ୍‌ ସ୍ତରୀୟ ସୁରକ୍ଷା ମିଳିବ। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ବିଧାନସଭା ନିର୍ବାଚନ ସରିବା ଯାଏ ମୁକୁଲ ରୟଙ୍କୁ ବେଙ୍ଗଲରେ ଜେଡ ସ୍ତରୀୟ ସୁରକ୍ଷା ମିଳିବ।

ତାଙ୍କୁ ଜେଡ୍‌ ସ୍ତରୀୟ ସୁରକ୍ଷା ମିଳିଥିବାରୁ ତାଙ୍କ ଚାରିପାଖରେ ୩୩ ଜଣ ସୁରକ୍ଷାକର୍ମୀ ରହିବେ। ଏହି ୩୩ ଜଣଙ୍କ ମଧ୍ୟରୁ ୧୦ ଅସ୍ତ୍ରଧାରୀ ଯବାନ ତାଙ୍କ ଘରକୁ ଜଗିବେ। ସେହିପରି ୬ ଜଣ ପିଏସ୍‌ଓ ୨୪ ଘଣ୍ଟା ତାଙ୍କ ଚାରିପାଖରେ ରହିବେ। ୧୨ ଜଣ କମାଣ୍ଡୋ ମୁକୁଲ ରୟଙ୍କ କନଭୟରେ ସାମିଲ ହେବେ। ୱାଚର୍ସ ଶିଫ୍ଟରେ ୨ ଜଣ ଓ ୩ ଜଣ ଡ୍ରାଇଭର ଭାବେ କାମ କରିବେ।

ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ହିଂସା ବଢ଼ିବାରେ ଲାଗିଛି। ଅନେକ ସ୍ଥାନରେ ବିଭିନ୍ନ ରାଜନୀତିକ ଦଳର କର୍ମୀମାନେ ପରସ୍ପରକୁ ଆକ୍ରମଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁକୁଲ ରୟଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

ଗତବର୍ଷ କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକେଡ୍‌ ଉପରେ ଆକ୍ରମଣ କରାଯାଇଥିଲା। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଲି କରୁଥିବା ବେଳେ ଜଣେ ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିବା ଖବର ସାମ୍ନାକୁ ଆସିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।