ମୋଦିଙ୍କ ଦ୍ୱାହି ଦେଇ ମାସ୍କ ପିନ୍ଧିବେନି କହିଲେ ମନ୍ତ୍ରୀ

ବେଙ୍ଗାଲୁରୁ: କରୋନା କଟକଣାକୁ ନ ମାନିବା ଏବେ କର୍ଣ୍ଣାଟକାରେ ନେତାମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ଏହିକ୍ରମରେ କର୍ଣ୍ଣାଟକାର ମନ୍ତ୍ରୀ ତଥା ବିଜେପି ନେତା ସର୍ବସମ୍ମୁଖରେ ମାସ୍କ ପିନ୍ଧିବାକୁ ମନା କରି ଦେଇଛନ୍ତି। ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ମାସ୍କ ପିନ୍ଧିବା ସ୍ୱେଚ୍ଛାକୃତ ବୋଲି କହିଥିବା ମନ୍ତ୍ରୀ ଉମେଶ କାତି ଯୁକ୍ତି ବାଢ଼ିଛନ୍ତି।

ବର୍ତ୍ତମାନ କର୍ଣ୍ଣାଟକା ବିଜେପି ସରକାରରେ ଉମେଶ ଖାଦ୍ୟ ଓ ଖାଉଟି ବ୍ୟାପର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ମାସ୍କ ପରିଧାନ କରି ନଥିଲେ। ଏନେଇ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଉମେଶ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସ୍କ ପରିଧାନ ନେଇ କୌଣସି କଟକଣା ଲଗାଇ ନାହାନ୍ତି। ମାସ୍କ ପିନ୍ଧିବା ଦାୟିତ୍ୱ ଜଣେ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ। ମାସ୍କ ପିନ୍ଧିବା କିମ୍ବା ନ ପିନ୍ଧିବା ଜଣେ ବ୍ୟକ୍ତିଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ମୋଦି କହିଛନ୍ତି। ତେଣୁ ମୁଁ ମୋ ଇଚ୍ଛାରେ ମାସ୍କ ପିନ୍ଧୁନି। ଏଥିରେ କୌଣସି ସମସ୍ୟା ନାହିଁ।”

ସଂକ୍ରମଣ ବଢ଼ୁଥିବାରୁ ସରକାର କଟକଣା ଲଗାଉଛନ୍ତି। ଏଥିସହ ଲୋକଙ୍କୁ ସତର୍କ ରହି ମାସ୍କ ପିନ୍ଧିବାକୁ କହୁଛନ୍ତି। ହେଲେ ଖୋଦ୍‌ ମନ୍ତ୍ରୀ ମାସ୍କ ପିନ୍ଧିବା ଇଚ୍ଛାଧୀନ ବ୍ୟାପାର ବୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହାପୂର୍ବରୁ କଂଗ୍ରେସର କର୍ଣ୍ଣାଟକା ମୁଖ୍ୟ ଡିକେ ଶିବକୁମାର ଅସୁସ୍ଥ ସତ୍ତ୍ୱେ କରୋନା ଟେଷ୍ଟ କରିବେ ନାହିଁ ବୋଲି କହିଥିଲେ। ଏଥିସହ ରାଜ୍ୟରେ ଦଳ ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ମଧ୍ୟ ସେ ସାମିଲ ହୋଇଥିଲେ।

କର୍ଣ୍ଣାଟକାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୪୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ଉପରେ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।