ଯୋଗୀଙ୍କ କ୍ୟାବିନେଟରେ ଫାଟ : ଜଣେ ଦେଲେ ଇସ୍ତଫା, ଦିଲ୍ଲୀରେ ଆଉ ଜଣେ

ଲକ୍ଷ୍ନୌ: ପୂର୍ଣ୍ଣବହୁମତ ସହ ଉତ୍ତରପ୍ରଦେଶରେ ସରକାର ଗଠନ କରିଥିବା ଯୋଗୀ ଆଦିତ୍ୟନାଥ ସରକାରରେ କମ୍ପନ ଦେଖିବାକୁ ମିଳିଛି। ଯୋଗୀଙ୍କ କ୍ୟାବିନେଟରେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରି ଜଣେ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ମନ୍ତ୍ରୀ ଦୀନେଶ ଖାଟିକ ଦଳିତ ହୋଇଥିବାରୁ ତାଙ୍କୁ ଯୋଗୀ ସରକାରରେ ଅଣଦେଖା କରୁଯାଉଥିବା ସେ ଅଭିଯୋଗ କରିଛନ୍ତି।

ଏଥିପାଇଁ ସେ ନିଜର ଇସ୍ତଫାପତ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେହିପରି ଆଉ ଜଣେ ମନ୍ତ୍ରୀ ଜିତିନ ପ୍ରସାଦ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଖପ୍ପା ହୋଇଛନ୍ତି। ସେ ଯୋଗୀଙ୍କ ସହ କୌଣସି ପ୍ରକାରର ଆଲୋଚନା ନ କରି ଦିଲ୍ଲୀ ଚାଲି ଯାଇଛନ୍ତି। ସେଠାରେ ସେ ବିଜେପିର ନେତୃବୃନ୍ଦଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ତେବେ ପ୍ରଥମଥର ପାଇଁ କୌଣସି ବିଜେପି ଶାସିତ ରାଜ୍ୟରେ ଦଳୀୟ ନେତାଙ୍କ ଏପରି ବିଦ୍ରୋହ ସମସ୍ତଙ୍କୁ ଚକିତ କରିଛି।

ଇସ୍ତଫା ଦେଇଥିବା ୟୁପିର ଜଳ ସମ୍ପଦ ମନ୍ତ୍ରୀ ଦୀନେଶ ତାଙ୍କ ଚିଠିରେ ଦାବି କରିଛନ୍ତି ଯେ “୧୦୦ ଦିନ ହେଲା ମୋତେ କୌଣସି କାମ ଦିଆଯାଇନି। ମୁଁ ଆଘାତ ପାଇଛି। ମୋତେ କଷ୍ଟ ହେଉଛି। ତେଣୁ ମୁଁ ଇସ୍ତଫା ଦେଉଛି। ମୁଁ ଜଣେ ଦଳିତ ହୋଇଥିବାରୁ ମୋତେ ଗୁରୁତ୍ୱ ଦିଆଯାଉନି। ଜଣେ ମନ୍ତ୍ରୀ ହିସାବରେ ମୋର କୌଣସି କ୍ଷମତା ନାହିଁ। ମନ୍ତ୍ରୀ ଭାବେ ମୋର କାମ କରିବା କେବଳ ଦଳିତ ସଂପ୍ରଦାୟର ସମୟ ନଷ୍ଟ ସହ ସମାନ। ମୋତେ କୌଣସି ବୈଠକକୁ ଡକାଯାଉନି କିମ୍ବା ମୋ ବିଭାଗ ସମ୍ପର୍କରେ ମୋତେ କିଛି ବି କୁହାଯାଉନି। ଏହା ଦଳିତ ସଂପ୍ରଦାୟ ପ୍ରତି ଅପମାନ।” ସେ ଇସ୍ତଫାପତ୍ର ପଠାଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇନି। ଦଳର ବରିଷ୍ଠ ନେତା ତାଙ୍କ ସହ ଏ ସମ୍ପର୍କରେ କଥାବାର୍ତ୍ତା ଚଳାଇଥିବା ମଧ୍ୟ ଜଣାପଡ଼ିଛି।

ଅନ୍ୟପକ୍ଷରେ ମନ୍ତ୍ରୀ ଜିତିନ ପ୍ରସାଦଙ୍କ ଟିମରେ ଥିବା ଜଣେ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଲମ୍ବିତ କରିଥିବାରୁ ସେ ଖପ୍ପା ହୋଇଛନ୍ତି। ଗତବର୍ଷ ଜିତିନ ପ୍ରସାଦ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ଏବେ ସେ ହିଁ ଯୋଗୀଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିତିନ ପ୍ରସାଦ କଂଗ୍ରେସରୁ ଆସିଥିବାରୁ ତାଙ୍କୁ ପୂର୍ତ୍ତ ବିଭାଗ ମନ୍ତ୍ରୀ କରାଯାଇଥିଲା।

ହେଲେ ତାଙ୍କ ବିଭାଗ ଦୁର୍ନୀତି ଜାଲରେ ଫସିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଘଟଣାରେ ଏକାଧିକ ଅଧିକାରୀ ସାମିଲ ଥିବା ଜଣାପଡ଼ିଛି।

ଲାଞ୍ଚ ନେଇ ବିଭାଗରେ ବଦଳି କରାଯାଉଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହାକୁ ଆଧାର କରି ମଙ୍ଗଳବାର ସରକାର ପୂର୍ତ୍ତ ବିଭାଗର ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଏମାନଙ୍କ ମଧ୍ୟରେ ଜିତିନ ପ୍ରସାଦଙ୍କ ଓଏସ୍‌ଡି ଅନୀଲ କୁମାର ପାଣ୍ଡେ ମଧ୍ୟ ରହିଛନ୍ତି। ତାଙ୍କୁ କାର୍ଯ୍ୟରୁ ବେଦଖଲ କରାଯିବା ସହ ଭିଜିଲାନ୍ସ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜିତିନ ପ୍ରସାଦ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।