ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତମାନେ ବଳପୂର୍ବକ କଲେ ଅନ୍ତିମ ସଂସ୍କାର!

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀରେ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି। ଜଣେ ୯ ବର୍ଷୀୟ ଝିଅଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତମାନେ ବଳପୂର୍ବକ ପୀଡ଼ିତାଙ୍କ ଶବକୁ ମଧ୍ୟ ଅନ୍ତିମ ସଂସ୍କାର କରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏହି ଘଟଣାରେ ଜଣେ ପୂଜକ ଓ ଅନ୍ୟ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ତେବେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି।

ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ପୁରାନା ନଙ୍ଗାଲରେ ପୀଡ଼ିତା ଜଣଙ୍କ ତାଙ୍କ ବାପା ମା’ଙ୍କ ସହ ରହୁଥିଲେ। ସେମାନଙ୍କ ଘର ଏଠାରେ ଥିବା ଶଶ୍ମାନ ନିକଟରେ। ଆର୍ଥିକ ପଛୁଆ ପରିବାରର ଏହି ନାବାଳିକା ଜଣଙ୍କ ଗତକାଲି ସନ୍ଧ୍ୟାରେ ଶଶ୍ମାନ ଘାଟକୁ ପାଣି ପାଇଁ ଯାଇଥିଲେ। ତେବେ ସେ ଆଉ ଘରକୁ ଫେରି ନଥିଲେ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ଶଶ୍ମାନ ଘାଟର ପୂଜକ ରାଧାଶ୍ୟାମ ନାବାଳିକାଙ୍କ ମା’ଙ୍କୁ ଡାକିବା ସହ ଝିଅର ଶବ ଦେଖାଇଥିଲେ।

ଶଶ୍ମାନ ଘାଟରେ ଲାଗିଥିବା କୁଲରରୁ ପିଇବା ପାଣି ବାହାର କରିବା ପରେ ନାବାଳିକା ଜଣ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ରାଧାଶ୍ୟାମ ଓ ସେଠାରେ ଉପସ୍ଥିତ ଥିବା କିଛି ଲୋକ କହିଥିଲେ। ନାବାଳିକାର ରିଷ୍ଟ ଓ କହୁଣୀରେ ପୋଡ଼ା ଦାଗ ମଧ୍ୟ ରହିଥିଲା। ତାଙ୍କ ଓଠ ମଧ୍ୟ ନୀଳ ପଡ଼ି ଯାଇଥିଲା।

ନାବାଳିକାଙ୍କ ମା’ ପୁଲିକୁ ଖବର ଦେବାକୁ କହିଥିଲେ। ହେଲେ ପୂଜକ ଓ ତାଙ୍କ ପାଖରେ ଥିବା ଲୋକମାନେ ଏପରି କରିବାକୁ ବାରଣ କରିଥିଲେ। ଯଦି କେସ୍‌ କରିବ, ତା’ହେଲେ ଶବ ବ୍ୟବଚ୍ଛେଦ ହେବ ଓ ଶିଶୁର ଅର୍ଗାନ ମଧ୍ୟ ଚୋରି ହେବ। ତେଣୁ ତୁରନ୍ତ ଏହାର ସତ୍କାର କରିବାକୁ ସେମାନେ ନାବାଳିକାଙ୍କ ମା’ଙ୍କୁ ପରାମର୍ଶ ଦେଇଥିଲେ।

ମା’ ଜଣଙ୍କ ବାରଣ କରିଥିଲେ ହେଁ ସେମାନେ ଜୋରଜବରଦସ୍ତ ଶବ ସତ୍କାର କରିଥିଲେ। ଏଥିସହ କିଛି ଟଙ୍କା ମଧ୍ୟ ନାବାଳିକାଙ୍କ ମା’ଙ୍କୁ ଦେଇଥିଲେ। କିନ୍ତୁ କିଛି ସମୟ ପରେ ପୀଡ଼ିତାଙ୍କ ବାପା ଓ ମା’ ଖବର ଗାଁ ଲୋକଙ୍କୁ ଦେଇଥିଲେ। ଗାଁରୁ ପ୍ରାୟ ୨୦୦ ଜଣ ଲୋକ ଶଶ୍ମାନ ଘାଟରେ ଏକାଠି ହୋଇ ପୁଲିସକୁ ଖବର ଦେଇଥିଲେ।

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ପୂଜକ ଓ ଅନ୍ୟ ୩ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।