ମୁମ୍ବାଇ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆରଏସଏସର ମୁଖ୍ୟ ମୋହନ ଭାଗବତ ସାକ୍ଷାତ କରିଛନ୍ତି। ମିଥୁନଙ୍କ ଘର ବେଙ୍ଗଲରେ ହୋଇଥିବା ବେଳେ ଆସନ୍ତା ମାସରେ ଏଠାରେ ନିର୍ବାଚନ ହେବ। ବେଙ୍ଗଲରେ ମିଥୁନଙ୍କର ବେଶ ଦବଦବା ରହିଛି।
ଏଭଳି ସ୍ଥିତିରେ ଭାଗବତ ତାଙ୍କୁ ଭେଟିବା ଘଟଣା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ମିଥୁନ ଭେଟଘାଟରେ କୌଣସି ରାଜନୀତିକ ଅଭିସନ୍ଧି ନଥିବା ସ୍ପଷ୍ଟ କରିଛନ୍ତି। ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତକାର। ଆଜି ଆମେ ଏକାଠି ଜଳଖିଆ ଖାଇଛୁ। ଆମ ଭିତରେ ଆଧ୍ୟାତ୍ମିକ ସମ୍ପର୍କ ରହିଛି। ଏହା ବହୁତ ଗଭୀର ଆଧ୍ୟାତ୍ମିକ ସମ୍ପର୍କ।
ସେ ମୁମ୍ବାଇ ଆସିଲେ ମୋ ଘରକୁ ବୁଲିବାକୁ ଆସିବେ ବୋଲି ଅନେକ ଦିନ ତଳେ କହିଥିଲେ। ମୁଁ ଲକ୍ଷ୍ନୌରୁ ଶୁଟିଂ ସାରି ମୁମ୍ବାଇ ଫେରିଥିବା ବେଳେ ସେ ମଧ୍ୟ ମୁମ୍ବାଇ ଥିଲେ। ତେଣୁ ଆମ ଭିତରେ ଭେଟଘାଟ ହୋଇଗଲା।
ଯେତେବେଳେ ଜଣେ ଆମ ଘରକୁ ଆସନ୍ତି, ଏଥିରୁ ସ୍ପଷ୍ଟ ହୁଏ ଯେ ମୋ ପ୍ରତି ଓ ମୋ ପରିବାର ପ୍ରତି ତାଙ୍କର ଭଲ ପାଇବା ରହିଛି। ସେ ମୋ ପରିବାରକୁ ନାଗପୁର ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏହି କଥା ହିଁ ଆମେ ଆଲୋଚନା କରିଛୁ। ଏଠାରେ କୌଣସି ପ୍ରକାରର ରାଜନୀତି ନାହିଁ ବୋଲି ମିଥୁନ କହିଛନ୍ତି।
ଶେଷଥର ପାଇଁ ମିଥୁନ ଓ ଭାଗବତଙ୍କ ମଧ୍ୟରେ ୨୦୧୯ରେ ନାଗପୁରରେ ଭେଟଘାଟ ହୋଇଥିଲା। ଆଜି ଭାଗବତ ୭୦ ବର୍ଷୀୟ ମିଥୁନଙ୍କ ମାଧ ଆଇସଲ୍ୟାଣ୍ଡ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।