ବିଜେପିର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ ମିଥୁନଙ୍କ ନାଁ ଗାଏବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ସମ୍ଭବତଃ ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ଏହି ଚୂଡ଼ାନ୍ତ ତାଲିକାରେ ୧୩ ଜଣଙ୍କ ନାଁ ରହିଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ପଦ୍ମ ଧରି ଟିକେଟ ଆଶା କରିଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ଏଥିରେ ନାହିଁ। କୁହାଯାଉଥିଲା ଯେ ବିଜେପି ରାଶବେହାରି ଆସନକୁ ବେଙ୍ଗଲି ଫିଲ୍ମର ଦାଦା ବା ମିଥୁନଙ୍କ ପାଇଁ ସଂରକ୍ଷଣ କରି ରଖିଛି। କିନ୍ତୁ ଦଳ ଆଜି ଏହି ଆସନରୁ ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ସୁବ୍ରତ ସାହା ଲଢ଼ିବେ ବୋଲି ଘୋଷଣା କରିଛି।

ମାର୍ଚ୍ଚ ୭ରେ ବିଜେପିର ବିଶାଳ ବ୍ରିଗେଡ ପରେଡ ଗ୍ରାଉଣ୍ଡ ରାଲିରେ ମିଥୁନ ଉପସ୍ଥିତ ରହିଥିଲେ। ଏହି ସମୟରେ ସେ ବିଜେପିରେ ମିଶିଥିଲେ। ଦଳୀୟ ସୂତ୍ରରୁ ଖବର ମିଳିଥିଲା ଯେ ବିଜେପି ଦକ୍ଷିଣ କୋଲକାତାର ସମ୍ମାନଜନକ ନିର୍ବାଚନ ମଣ୍ଡଳୀ ରାଶବେହାରି ଆସନରୁ ମିଥୁନଙ୍କୁ ଟିକେଟ ଦେବ। ମିଥୁନ ମଧ୍ୟ ଟିକେଟ ପାଇଁ ଆଶା କରି ବସିଥିଲେ।

ହେଲେ ଆଜି ତାଙ୍କର ସବୁ ଆଶାରେ ପାଣି ପଡ଼ି ଯାଇଛି। ନିକଟରେ ମିଥୁନ ନିଜର ଭୋଟର କାର୍ଡକୁ ମୁମ୍ବାଇରୁ ବେଙ୍ଗଲକୁ ସ୍ଥାନାନ୍ତର କରିଥିଲେ। ତେଣୁ ସେ ନିର୍ବାଚନ ଲଢ଼ିବାକୁ ଯାଉଥିବା କୁହାଯାଉଥିଲା। ଏବେ ଚୂଡ଼ାନ୍ତ ତାଲିକାରେ ତାଙ୍କ ନାଁ ନାହିଁ ସତ, ହେଲେ ବିଜେପି ଚାହିଁଲେ ଯେକୌଣସି ସ୍ଥାନରେ ପ୍ରାର୍ଥୀ ବଦଳାଇ ମିଥୁନଙ୍କୁ ଟିକେଟ ଦେବାର ସମ୍ଭାବନା ଏଡ଼ାଇ ଦିଆଯାଇ ନପାରେ।

ବେଙ୍ଗଲ ବିଧାନସଭାର ୨୯୪ଟି ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏହି ୮ ପର୍ଯ୍ୟାୟ ଭୋଟିଂ ପାଇଁ ଏପ୍ରିଲ ମଧ୍ୟଭାଗ ଯାଏ ନାମାଙ୍କନ ଦାଖଲ ଚାଲିବ। ଏହି କାରଣରୁ ନାମାଙ୍କନ ଶେଷ ଯାଏ ମିଥୁନଙ୍କୁ ଟିକେଟ ମିଳୁଛି କି ନାହିଁ, ତା’କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି।

ସୂତ୍ର ଅନୁସାରେ, ମିଥୁନ ମାର୍ଚ୍ଚ ୩୦ରେ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରିବେ। ଏହି ସମୟରେ ଆୟୋଜିତ ହେବାକୁ ଥିବା ରୋଡ ଶୋ’ରେ ସ୍ୱରାଷ୍ଟ୍ର ଅମିତ ଶାହ ମଧ୍ୟ ଉପସ୍ଥିତ ରହିବେ।

ଅନ୍ୟପକ୍ଷରେ ବିଜେପି ଅଲୀପୁରଦୁଆର ଆସନରୁ ପ୍ରଥମେ ପ୍ରାର୍ଥୀ କରିଥିବା ପୂର୍ବତନ ଅର୍ଥନୀତିକ ପରାମର୍ଶଦାତା ଅଶୋକ ଲାହିରୀଙ୍କୁ ଏବେ ବାଲୁରଘାଟ ଆସନରୁ ଟିକେଟ ଦେଇଛି। ଅଶୋକ ଲାହିରୀ ଅଲୀପୁରଦୁଆର ଆସନରୁ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳୀୟ କର୍ମୀ ବିରୋଧ କରିଥିଲେ। ଫଳରେ ବିଜେପି ବାଧ୍ୟ ହୋଇ ଏଠାରେ ପ୍ରାର୍ଥୀ ବଦଳାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।