ନମାଜ ପଢ଼ୁଥିବା ବେଳେ ଆକ୍ରମଣ, ମସଜିଦରେ ଭଙ୍ଗାରୁଜା

ଗୁରୁଗ୍ରାମ: ପୁଣିଥରେ ଗୁରୁଗ୍ରାମରୁ ସାଂପ୍ରଦାୟିକ ଭେଦଭାବର ଗୋଟିଏ ଘଟଣା ସାମ୍ନାକୁ ଆସିଛି। ମସଜିଦ ଭିତରେ ନମାଜ ପାଠ କରୁଥିବା ଲୋକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଏଥିସହ ମସଜିଦ ଭିତରେ ବ୍ୟାପକ ଭଙ୍ଗାରୁଜୁ ମଧ୍ୟ ହୋଇଛି। ଅଭିଯୋଗ ପରେ ପୁଲିସ୍‌ ପ୍ରାୟ ୧୨ ଜଣ ଲୋକଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ୍‌ ବେଶ ସତର୍କତା ଅବଲମ୍ବନ କରି ତଦନ୍ତର ଗତିକୁ ଆଗକୁ ନେଉଛି।

ମିଳିଥିବା ସୂଚନା ଅନୁସାରେ, ଏହି ଆତଙ୍କରାଜ ବୁଧବାର ସନ୍ଧ୍ୟାରେ ଗୁରୁଗ୍ରାମର ଭୋରା କଲାନ ଅଞ୍ଚଳରେ ଘଟିଥିଲା। ସ୍ଥାନୀୟ ଅଞ୍ଚଳର କିଛି ତଥାକଥିତ ଗୁଣ୍ଡା ମସଜିଦରେ ପଶି ନମାଜ ପଢ଼ୁଥିବା ଲୋକଙ୍କୁ ମାଡ଼ ମାରିଥିଲେ। ସେମାନେ ମସଜିଦରେ ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଲୋକଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ। ଶେଷରେ ସେମାନେ ମସଜିଦକୁ ବାହାର ପଟୁ ତାଲା ପକାଇ ଦେଇ ଫେରାର ହୋଇଯାଇଥିବା ପୁଲିସ୍‌ ରୁଜୁ କରିଥିବା ଏଫଆଇଆରରେ କୁହାଯାଇଛି।

ବିଲାସପୁର ପୁଲିସ୍‌ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିବା ସୁବେଦାର ନଜର ମହମ୍ମଦ କହିଛନ୍ତି, ଭୋରା କଲାନରେ ମାତ୍ର ୪ ଜଣ ମୁସଲିମ ସଂପ୍ରଦାୟର ଲୋକ ରହୁଛନ୍ତି। ବୁଧବାର ଦିନ ମୁଁ ଓ ଅନ୍ୟମାନେ ମସଜିଦ ଭିତରେ ନମାଜ ପାଠ କରୁଥିଲୁ। ହଠାତ୍‌ କିଛି ଲୋକ ମସଜିଦ ଭିତରକୁ ଧସେଇ ପଶିଥିଲେ ଓ ଆମକୁ ମାଡ଼ ମାରିଥିଲେ। ସେମାନେ ଗଲା ବେଳକୁ ଆମକୁ ତୁରନ୍ତ ଅଞ୍ଚଳ ଛାଡ଼ି ଦେବାକୁ ଧମକ ମଧ୍ୟ ଦେଇଥିବା ମହମ୍ମଦ ଅଭିଯୋଗ କରିଛନ୍ତି।

ପୁଲିସ ଅଭିଯୋଗକୁ ଭିତ୍ତି କରି ଆଇପିସିର ଧାରା ୨୯୫-ଏ, ୩୨୩, ୫୦୬, ୧୦୪ ଓ ୧୪୮ରେ ମାମଲା ରୁଜୁ କରିଛି। ଘଟଣା ପଛରେ ପ୍ରାୟ ୧୨ ଜଣଙ୍କ ହାତ ରହିଥିବା ବେଳେ ପୁଲିସ୍‌ ତଦନ୍ତ କେବଳ ରାଜେଶ ଚୌହାନ, ଅନିଲ ଭଦୌରିଆ ଓ ସଞ୍ଜୁ ବ୍ୟାସଙ୍କୁ ଚିହ୍ନଟ କରିପାରିଛି। ଅନ୍ୟମାନଙ୍କ ପରିଚୟ ହାସଲ ପାଇଁ ଯାଞ୍ଚ ଚାଲିଥିବା ପୁଲିସ୍‌ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।