ଗଛ କାଟିବାରୁ ଜଣଙ୍କୁ ପିଟିପିଟି ମାରିଦେଲେ ୧୫୦ ଜଣ

ରାଞ୍ଚି: ଗଛ କାଟି ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଆକ୍ରମଣକାରୀମାନେ ଜାଳି ମଧ୍ୟ ଦେଇଛନ୍ତି। ଝାରଖଣ୍ଡର ସିମଡେଗାରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ପ୍ରାୟ ୧୫୦ ଜଣ ଲୋକ ସାମିଲ ହୋଇଥିଲେ।

ମଙ୍ଗଳବାର ମଧ୍ୟାହ୍ନରେ କୋଲେବିରା ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଭିଡ଼ ହିଂସାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସଞ୍ଜୁ ପ୍ରଧାନ। ସଞ୍ଜୁ ପ୍ରଧାନ ଏଠାରେ ଥିବା ଏକ ନିର୍ଦ୍ଦିଷ୍ଟ ଗଛକୁ କାଟିବା ସହ ଏହାର କିଛି ଅଂଶକୁ ବିକ୍ରି କରି ଦେଇଥିଲେ। ସ୍ଥାନୀୟ ଲୋକମାନେ ଏହି ଗଛକୁ ପୂଜା କରୁଥିବା ବେଳେ ଏପରି ଘଟଣା ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିଲା। ଏଥିପାଇଁ ସଞ୍ଜୁଙ୍କୁ ୧୦୦ରୁ ୧୫୦ ଜଣ ଲୋକ ମିଳିତ ଭାବେ ଆକ୍ରମଣ କରିଥିଲେ।

ପୁଲିସ କହିଛି ଯେ ଗଛଟି ମୁଣ୍ଡା ସଂପ୍ରଦାୟର ଲୋକଙ୍କ ଧର୍ମୀୟ ଭାବନା ସହ ଜଡ଼ିତ ଥିଲା। ହେଲେ ଏହାକୁ ସଞ୍ଜୁ ୨୦୨୧ ମସିହା ଅକ୍ଟୋବର ମାସରେ କାଟି ଦେଇଥିଲେ। ତେଣୁ ଏହା ମୁଣ୍ଡା ସଂପ୍ରଦାୟର ଭାବପ୍ରବଣତାକୁ ଆଘାତ ପହଞ୍ଚାଇଥିଲା। ମଙ୍ଗଳବାର ସେମାନେ ପୂରା ଘଟଣାକୁ ନେଇ ଗୋଟିଏ ବିରାଟ ସଭା କରିଥିଲେ। ସଭା ପରେ ସମସ୍ତେ ମିଳିତ ଭାବେ ଗଛ କାଟିଥିବା ସଞ୍ଜୁ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଛି।

ପୀଡ଼ିତଙ୍କ ପରିବାର ଲୋକ ପୁଲିସ୍‌କୁ କହିଛନ୍ତି ଯେ ପ୍ରଥମେ ଲୋକମାନେ ସଞ୍ଜୁ ପ୍ରଧାନଙ୍କୁ ପଥର ମାଡ଼ କରିବା ସହ କାଠ ଫାଳିଆରେ ପିଟିଥିଲେ। ଆକ୍ରମଣରେ ସେ ପ୍ରାଣ ହରାଇବାରୁ ତାଙ୍କ ମୃତଦେହକୁ ନିଆଁରେ ପୋଡ଼ି ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିଥିଲା।

ଏହାପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ସଞ୍ଜୁ ପ୍ରଧାନଙ୍କୁ ପିଟିପିଟି ହତ୍ୟା କରାଯାଇଛି ନା ନିଆଁରେ ପୋଡ଼ି ହୋଇ ତାଙ୍କର ଜୀବନ ଯାଇଛି, ସେକଥା ଜଣାପଡ଼ିବ। ବର୍ତ୍ତମାନ ପୁଲିସ୍‌ ଏଫଆଇଆର ରୁଜୁ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।