ବାପାଙ୍କ ସହ ଚା’ ବିକିବା କଥା ଜାତିସଂଘରେ କହିଲେ ମୋଦି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ୪ର୍ଥଥର ପାଇଁ ମିଳିତ ଜାତିସଂଘର ମହାସଭାରେ ବିଶ୍ୱକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ଆତଙ୍କବାଦ ଠାରୁ ଆରମ୍ଭ କରି କରୋନା ଓ ଆଫାଗାନିସ୍ତାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି।

ତେବେ ଏହି ସମୟରେ ଭାରତର ଗଣତନ୍ତ୍ର କେତେ ଶକ୍ତିଶାଳୀ ତା’ର ଉଦାହରଣ ଦେବାକୁ ଯାଇ ସେ ପିଲାବେଳେ ବାପାଙ୍କ ସହ କେମିତି ଚା’ ବିକ୍ରି କରୁଥିଲେ ସେକଥା ମିଳିତ ଜାତିସଂଘକୁ ଅବଗତ କରାଇଛନ୍ତି।

ସେ କହିଛନ୍ତି, ଦିନେ ଯେଉଁ ଛୋଟ ପିଲା ତା’ ବାପାଙ୍କୁ ରେଳ ଷ୍ଟେସନରେ ଥିବା ଚା’ ଷ୍ଟଲରେ ସହଯୋଗ କରୁଥିଲା ଆଜି ସେ ୪ର୍ଥଥର ପାଇଁ ମିଳିତ ଜାତିସଂଘରେ ସାରା ବିଶ୍ୱକୁ ସମ୍ବୋଧନ କରୁଛି। ଏହା ହିଁ ଆମ ଗଣତନ୍ତ୍ର ଶକ୍ତି। ରେଳ ଷ୍ଟେନରେ ଚା’ ବିକୁଥିବା ଲୋକର ପିଲା ଆଜି ମିଳିତ ଜାତିସଂଘରେ ସମ୍ବୋଧନ କରିବାକୁ ସକ୍ଷମ ହୋଇପାରିଛି।

ବିବିଧତା ହିଁ ଭାରତର ଗଣତନ୍ତ୍ରକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଗଣତନ୍ତ୍ରର ଜନୀନ ଭାରତକୁ ମୁଁ ଏଠାରେ ପ୍ରତିନିଧିତ୍ୱ କରୁଛି। ଭାରତୀୟ ଗଣତନ୍ତ୍ରର ପରମ୍ପରା ହଜାର ବର୍ଷ ତଳର। ଭାରତ ଏମିତି ଏକ ରାଷ୍ଟ୍ର ଯେଉଁଠାରେ ଅନେକ ଭାଷା, ଉପଭାଷା, ବିଭିନ୍ନ ପ୍ରକାରର ଜୀବନ ଶୈଳୀ, ଖାଦ୍ୟ ଓ ପରମ୍ପରା ରହିଛି ବୋଲି ମୋଦି କହିଛନ୍ତି।

ଜାତିସଂଘର ୭୬ତମ ସାଧାରଣ ମହାସଭାରେ ମୋଦି କରୋନା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି, ଦୀର୍ଘ ଦେଢ଼ ବର୍ଷ ହେଲା ସାରା ବିଶ୍ୱ ୧୦୦ ବର୍ଷ ମଧ୍ୟରେ ଆସିଥିବା ସବୁଠାରୁ ବଡ଼ ମହାମାରୀ ସହ ଲଢ଼େଇ କରୁଛି। ଏହି ସମୟରେ ଆମେ ଅନେକ ଲୋକଙ୍କୁ ହରାଇଛୁ।

ସେମାନଙ୍କୁ ଏଠାରେ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଭାରତ ସବୁବେଳେ ସେବା ହିଁ ପରମ ଧର୍ମ ନୀତିରେ କାର୍ଯ୍ୟ କରୁଛି ବୋଲି ମୋଦି କହିଛନ୍ତି। ଏଥିସହ ସେ ଭାରତରେ ବିଦେଶୀ କମ୍ପାନୀମାନଙ୍କୁ ଟିକା ତିଆରି କରିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।