ଆସାମକୁ କଂଗ୍ରେସ ଡିଭାଇଡ୍ କରୁଥିଲା, ବିଜେପି ଯୋଡ଼ୁଛି: ମୋଦି

ଗୌହାଟି: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିମଗଞ୍ଜ ଜିଲ୍ଲାର ଭଟଗ୍ରାମରେରାଲି କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆସାମରେ ଏହାଥିଲା ମୋଦିଙ୍କ ପ୍ରଥମ ରାଲି। ଆସାମର କରିମଗଞ୍ଜ ରାଲିରେ ମୋଦି କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ଆସାମକୁ କଂଗ୍ରେସ ଡିଭାଇଡ୍ କରୁଥିଲା ବିଜେପି ଏବେ ଯୋଡ଼ୁଛି ବୋଲି ସେ କହିଛନ୍ତି।

କରିମଗଞ୍ଜ ଜିଲ୍ଲାର ଭଟଗ୍ରାମରେ ଆୟୋଜିତ ଏହି ବିଶାଳ ରାଲିରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ବାମପନ୍ଥୀ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ୁଛି। ହେଲେ କେରଳରେ ଏହି କଂଗ୍ରେସ ବାମପନ୍ଥୀ ବିରୋଧରେ ନିର୍ବାଚନ ଲଢ଼ୁଛି। କଂଗ୍ରେସ ଏବେ ଭୋଟ୍ ପାଇବା ପାଇଁ ସବୁ କିଛି କରିପାରେ। ଦଳରେ ନେତା ନାହାନ୍ତି କି କୌଣସି ବିଚାରାଧାରା ନାହିଁ। ତୃଣମୂଳ ସ୍ତରରେ କଂଗ୍ରେସ ଆଉ ନାହିଁ। ଯେତେବେଳେ କଂଗ୍ରେସ ତୃଣମୂଳ ସ୍ତରରେ ନାହିଁ ସେତେବେଳେ ଆସାମରେ ଏହି ଦଳ କିଭଳି ସ୍ଥିର ସରକାର ଏବଂ ଆସାମକୁ ବିକଶିତ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

୨୦୧୬ରେ ଆସାମରେ ବିଜେପି ସରକାର ଆସିଛି। ଏହା ପୂର୍ବରୁ କଂଗ୍ରେସ ୧୫ ବର୍ଷ ସରକାରରେ ଥିଲା। ଏହି ସମୟରେ କଂଗ୍ରେସ ଆସାମକୁ ଦେଶରୁ ବିଭିନ୍ନ ଫୋରମରେ ଡିଭାଇଡ କରୁଥିଲା ହେଲେ ବିଜେପି ଆସିବା ପରେ ଏହାକୁ ଯୋଡ଼ୁଛି ବୋଲି ମୋଦି କହିଛନ୍ତି। କେବଳ ରାସ୍ତା ମାଧ୍ୟାମରେ ନୁହେଁ ବରଂ ସାଂସ୍କୃତିକ ଭାବରେ ଆସାମକୁ  ବିଜେପି ସରକାର ଯୋଡ଼ୁଛି ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ଆସାମରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ମାର୍ଚ୍ଚ ୨୭ରେ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ୬ ରେ ନିର୍ବାଚନ ଶେଷ ହେବ। ମେ ୨ରେ ନିର୍ବାଚନ ଫଳାଫଳ ଘୋଷଣା ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।