ସବୁ ମାମଲାରେ ମହମ୍ମଦ ଜୁବୈରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ମାତ୍ର ମାସକ ମଧ୍ୟରେ ଏକାଧିକ ମାମଲାରେ ଫସିଥିବା ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଶେଷରେ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ନାଁରେ ୟୁପିର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ୬ଟି ଯାକ ମାମଲାରେ ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି। ସେହିପରି ଜୁବୈରଙ୍କ ବିରୋଧରେ ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍‌ଆଇଟିକୁ କୋର୍ଟ ଭାଙ୍ଗି ଦେଇଛନ୍ତି। ଯଦି ଆଗକୁ ଜୁବୈରଙ୍କ ନାଁରେ କୌଣସି ଏଫଆଇଆର ରୁଜୁ ହେବ, ତା’ହେଲେ ବି ତାଙ୍କର ଅନ୍ତରୀଣ ଜାମିନ କାଏମ ରହିବ। ସେ ଯଦି ଚାହିଁବେ, ତା’ହେଲେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରି ଏଫଆଇଆର ରଦ୍ଦ ପାଇଁ ନିବେଦନ କରିପାରିବେ। ଆଜି କୋର୍ଟ ତାଙ୍କୁ ୨୦,୦୦୦ ଟଙ୍କାର ସ୍ୟୁରିଟି ବଳରେ ସମସ୍ତ ୬ ମାମଲାରେ ଜାମିନ ଦେଇଛନ୍ତି।

ଶୁଣାଣି ବେଳେ ଉତ୍ତର ପ୍ରଦେଶ ସରକାର ଜୁବୈରଙ୍କୁ ଟ୍ୱିଟ ନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ଆବେଦନ ଉପରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, “ଜୁବୈରଙ୍କୁ ଟ୍ୱିଟ କରିବାକୁ ମନା କରିବା ଅର୍ଥ ଜଣେ ଆଇନଜୀବୀକୁ ଯୁକ୍ତି ନ କରିବାକୁ କହିବା ସହ ସମାନ। ଆପଣ କେମିତି ଜଣେ ସାମ୍ବାଦିକଙ୍କୁ ନ ଲେଖିବା ପାଇଁ କହିବେ? ଯଦି ସେ କିଛି ଆଇନ ଉଲ୍ଲଙ୍ଘନ କରିବା ଭଳି କାମ କରନ୍ତି, ତା’ହେଲେ ସେ ଉତ୍ତରଦାୟୀ ରହିବେ।

ଜଣେ ନାଗରିକ ନିଜର ସ୍ୱର ଉଠାଉଥିବା ବେଳେ ଆମେ କେମିତି ଆଗୁଆ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ? ପ୍ରତଟି ନାଗରିକ ସର୍ବସାଧାରଣ କିମ୍ବା ବ୍ୟକ୍ତିଗତ ସ୍ତରରେ ଯାହା ବି କରୁଛନ୍ତି, ସେଇଥି ପାଇଁ ସେ ନିଜେ ଉତ୍ତରଦାୟୀ। ଆମେ କେବେ ହେଲେ ଆଗୁଆ କୌଣସି ନିର୍ଦ୍ଦେଶ ଦେଇ ପାରିବୁ ନାହିଁ।”

ମହମ୍ମଦ ଜୁବୈରଙ୍କୁ ଗତମାସ ୨୭ ତାରିଖରେ ଦିଲ୍ଲୀ ପୁଲିସ୍‌ ଗିରଫ କରିଥିଲା। ୨୦୧୮ର ଗୋଟିଏ ଟ୍ୱିଟ ପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କ ନାଁରେ ଆଉ ୭ଟି ଏଫଆଇଆର ଉତ୍ତର ପ୍ରଦେଶରେ ରୁଜୁ ହୋଇଥିଲା। କିଛି ଦିନ ତଳେ ସୁପ୍ରିମକୋର୍ଟ ଜୁବୈରଙ୍କୁ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ଗୋଟିଏ ଏଫଆଇଆର ମାମଲାରେ ଜାମିନ ଦେଇଥିଲେ। ଆଜି ବାକି ସମସ୍ତ ମାମଲାରେ ତାଙ୍କୁ ଜାମିନ ମିଳିଛି।

ତେବେ ସୁପ୍ରିମକୋର୍ଟ ତାଙ୍କ ନାଁରେ ରୁଜୁ ଏଫଆଇଆରକୁ ରଦ୍ଦ କରି ନାହାନ୍ତି। ଏଫଆଇଆର ରଦ୍ଦ ପାଇଁ ଜୁବୈର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।