ବିଜେପିର ହିଟ୍‌ ଲିଷ୍ଟରେ ଥିଲେ ସଚିନ ବାଜେ‌: ଶିବସେନା

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଖଚିତ ଗାଡ଼ି ରଖିବା ଘଟଣାରେ ଗିରଫ ଅଭିଯୁକ୍ତ ମୁମ୍ବାଇ ପୁଲିସ୍‌ର ଅଧିକାରୀ ସଚିନ ବାଜେଙ୍କୁ ନେଇ ରାଜନୀତିକ ବୟାନବାଜି ଆରମ୍ଭ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସଚିନଙ୍କୁ ଜେରା କରିବା ପରେ ତାଙ୍କୁ ଶନିବାର ରାତିରେ ଗିରଫ କରିଥିଲା। ତେବେ ସଚିନଙ୍କ ଗିରଫଦାରୀ ମହାରାଷ୍ଟ୍ର ପୁଲିସ ପାଇଁ ଏକ ଅପମାନ ଓ ଜାଣୁଶୁଣି ଏପରି ଗିରଫଦାରୀ କରାଯାଇଥିବା ଶିବସେନା ଅଭିଯୋଗ କରିଛି।

ଶିବସେନାର ମୁଖପତ୍ର ସାମ୍ନାରେ ପ୍ରକାଶିତ ସମ୍ପାଦକୀୟରେ କୁହାଯାଇଛି ଯେ ଯେତେବେଳେ ସାରା ବିଶ୍ୱରେ ମହାରାଷ୍ଟ୍ର ପୁଲିସ୍‌ର ତଦନ୍ତ ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରାଯାଉଛି ସେତେବେଳେ ଏହି ଘଟଣାରେ ଏନଆଇଏର ତଦନ୍ତ ଆଶ୍ଚର୍ଯ୍ୟଜନକ। ଯଦି ସଚିନ ବାଜେ ଏହି ଘଟଣାରେ ଦୋଷୀ ଥିଲେ, ତା’ହେଲେ ମୁମ୍ବାଇ ପୁଲିସ୍‌ ଓ ମହାରାଷ୍ଟ୍ର ଏଟିଏସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ରଖିଥିଲେ।

କିନ୍ତୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଏପରି ହେବାକୁ ଚାହୁଁ ନଥିଲା। ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅନଭୟ ନାଏକ ମୃତ୍ୟୁ ଘଟଣାରେ ସଚିନ ବାଜେ ଗିରଫ କରିଥିଲେ। ସେବେଠାରୁ ସେ ବିଜେପିର ହିଟ୍‌ ଲିଷ୍ଟରେ ରହିଥିଲେ। ସଚିନଙ୍କ ଗିରଫଦାରୀ ରାଜ୍ୟ ପୁଲିସ୍‌ ପାଇଁ ଅପମାନ।

ଜାଣିଶୁଣି ଏପରି କରାଯାଇଛି। ଯେଉଁମାନେ ଏପରି ଗିରଫଦାରୀକୁ ନେଇ ଖୁସି ହେଉଛନ୍ତି, ସେମାନେ ରାଜ୍ୟର ଅଟୋନମି ଉପରେ ହମଲା କରୁଛନ୍ତି। ଆମର ଆଶା ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

ରାଜ୍ୟ ସରକାର ବିସ୍ଫୋରକ ଖଚିତ ଗାଡ଼ି ଓ ମନସୁଖ ହିରାନେଙ୍କ ମତ୍ୟୁ ଘଟଣାର ତଦନ୍ତ ଏଟିଏସକୁ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ତୁରନ୍ତ ଏନଆଇଏକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରି ତରବରିଆ ଭାବେ ପଦକ୍ଷେପ ନେବାର କୌଣସି କାରଣ ନଥିଲା ବୋଲି ସାମ୍ନାରେ କୁହାଯାଇଛି।

ଫେବୃଆରୀ ୨୫ରେ ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଗୋଟିଏ ସ୍କର୍ପିଓ ମିଳିଥିଲା। ଏଥିରେ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ମିଳିଥିଲା। ପୁଲିସ୍‌ ଏହାର ତଦନ୍ତ କରି ଗାଡ଼ିର ମାଲିକ ମନସୁଖଙ୍କ ପାଖରେ ପହଞ୍ଚିଥିଲା। ତେବେ ଘଟଣାର ତଦନ୍ତ ଚାଲିଥିବା ବେଳେ ହଠାତ୍‌ ମନସୁଖଙ୍କ ମୃତଦେହ ମିଳିଥିଲା। ତାଙ୍କ ପରିବାର ମୃତ୍ୟୁ ପାଇଁ ସିଧାସଳଖ ସଚିନଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ।

ଏସବୁ ଭିତରେ କେନ୍ଦ୍ର ସରକାର ଘଟଣାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏନଆଇଏ ଏହାର ତଦନ୍ତ କରି ସଚିନ ବାଜେଙ୍କୁ ଗିରଫ କରିଛି। ସେହିପରି ସେଦିନ ସ୍କର୍ପିଓ ସହ ବୁଲୁଥିବା ଇନୋଭାକୁ ମଧ୍ୟ ଜବତ କରିଛି। ଏହି ଇନୋଭାଟିକୁ ସଚିନଙ୍କ ଟିମ୍‌ ବ୍ୟବହାର କରୁଥିବା ଏନଆଇଏ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।