ନିଜ ହାଉସିଂ ସୋସାଇଟିର ସିସିଟିଭିକୁ ସିଜ୍‌ କରିଥିଲେ ସଚିନ ବାଜେ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ଗିରଫ ହୋଇ ମହାରାଷ୍ଟ୍ର ପୁଲିସ୍‌ ସେବାରୁ ନିଲମ୍ବିତ ହୋଇଥିବା ଅଧିକାରୀ ସଚିନ ବାଜେଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ଖଚିତ ଗାଡ଼ିର ତଦନ୍ତ ପ୍ରଥମେ ସଚିନ ବାଜେ କରୁଥିଲେ। ଏହି ସମୟରେ ସେ ନିଜେ ରହୁଥିବା ହାଉସିଂ ସୋସାଇଟି ସିସିଟିଭକୁ ସିଜ୍‌ କରିଥିଲେ। ସୋସାଇଟିର ଡିଜିଟାଲ ଭିଡିଓ ରେକର୍ଡର ସେ କାହିଁକି ସିଜ୍‌ କରିଥିଲେ, ସେକଥା ଜଣାପଡ଼ିନାହିଁ।

ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସଚିନ ଡିଭିଆର ସିଜ୍‌ କରି ସିସିଟିଭି ଫୁଟେଜରେ କୌଣସି କାଟଛାଣ୍ଟ କରିଛନ୍ତି କି ନାହିଁ, ତା’ର ତଦନ୍ତ ଆରମ୍ଭ କରିଛି। ସେହିପରି ବିସ୍ଫୋରକ ଭର୍ତ୍ତି ଏସ୍‌ୟୁଭିକୁ ସଚିନ ନିଜ ଆବାସିକ ଅଞ୍ଚଳକୁ ଆଣିଥିଲେ କି ନାହିଁ, ତା’ର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି।

ଫେବୃଆରୀ ୨୫ରେ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ଗୋଟିଏ ସ୍କର୍ପିଓ ଜବତ କରାଯାଇଥିଲା। ଏହା ମଧ୍ୟରୁ ବିପୁଳ ପରିମାଣର ଜିଲୋଟିନ ଓ ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଥିଲା। ଏହି ଘଟଣାର ତଦନ୍ତ ସଚିନ ହିଁ ପ୍ରଥମେ ଆରମ୍ଭ କରିଥିଲେ। ଗାଡ଼ିଟି ମନସୁଖ ହରାନଙ୍କର ବୋଲି ଜଣାପଡ଼ିଥିଲା। ସେ ଫେବୃଆରୀ ୧୭ ତାରିଖରୁ ଗାଡ଼ିଟି ଚୋରି ହୋଇଯାଇଥିବା ପୁଲିସ୍‌ରେ ରିପୋର୍ଟ କରିସାରିଥିଲେ।

ଘଟଣାର ତଦନ୍ତ ଚାଲିଥିବା ବେଳେ ହଠାତ୍‌ ମୁନସୁଖଙ୍କ ମୃତଦେହ ମାର୍ଚ୍ଚ ୫ ତାରିଖରେ ମିଳିଥିଲା। ମନସୁଖଙ୍କ ପତ୍ନୀ ମୃତ୍ୟୁପାଇଁ ସଚିନ ବାଜେଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏହାପରେ ଏନଆଇଏ ଘଟଣାର ତଦନ୍ତ ଆରମ୍ଭ କରି ଗତ ଶନିବାର ସଚିନ ବାଜେଙ୍କୁ ୧୩ ଘଣ୍ଟା କାଳ ଜେରା କରିବା ପରେ ଗିରଫ କରିଥିଲା।

ଏବେ ତଦନ୍ତ ପାଇଁ ଏନଆଇଏ ଟିମ୍‌ ସଚିନ ରହୁଥିବା ସୋସାଇଟିକୁ ଯାଇଥିଲା। ଏହି ସମୟରେ ସେ ହାଉସିଂ ସୋସାଇଟିର ଡିଭିଆର ଓ ସିସିଟିଭକୁ ପୂର୍ବରୁ ସିଜ୍‌ କରି ସାରିଥିବା ଜାଣିବାକୁ ପାଇଛି। ସୂତ୍ର ଅନୁସାରେ ଡିଭିଆର୍‌ରୁ ସିସିଟିଭି ଦୃଶ୍ୟକୁ ଡିଲିଟ କରିଦିଆଯାଇଛି। ପ୍ରମାଣ ନଷ୍ଟ କରିବା ଓ ମୁନସୁଖଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ଲୁଚାଇବା ପାଇଁ ସେ ଏପରି କରିଥିବା କୁହାଯାଉଛି।

ଏପରି କି ସିସିଟିଭରେ ପିପିଇ କିଟ୍‌ ପିନ୍ଧି ଦୃଶ୍ୟମାନ ହେଉଥିବା ବ୍ୟକ୍ତି ଜଣଙ୍କ ନିଜେ ସଚିନ ବାଜେ ବୋଲି ମଧ୍ୟ ଏନଆଇଏ ଜାଣିବାକୁ ପାଇଛି। ଏନଆଇଏ ଏହି ଘଟଣାରେ କ୍ରାଇମ ଇଣ୍ଟେଲଜେନ୍ସ ୟୁନିଟର ଆସିସଷ୍ଟାଣ୍ଟ ପୁଲିସ୍‌ ଇନସପେକ୍ଟର ରିୟାଜ କାଜିଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।