ଜାପାନ ଓ ୟୁଏଇକୁ ବଳିଗଲା ମୁମ୍ବାଇର କରୋନା ସ୍ଥିତି, ୧୧ ଦିନରେ ଲକ୍ଷେ ଲୋକ ସଂକ୍ରମିତ

ମୁମ୍ବାଇ: କରୋନାର ଦ୍ୱିତୀୟ ଲହର ମାଡ଼ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରର ମୁମ୍ବାଇର ସ୍ଥିତି ଆହୁରି ଜଟିଳ ହୋଇଛି। ମୁମ୍ବାଇର କରୋନା ସ୍ଥିତି ଦୁଇଟି ଦେଶର କରୋନା ସ୍ଥିତିକୁ ଅତିକ୍ରମ କରି ଯାଇଛି। ଜାପାନ ଓ ୟୁଏଇ ତୁଳନାରେ ମୁମ୍ବାଇରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି।

ଶୁକ୍ରବାର ମୁମ୍ବାଇରେ ୯,୨୦୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଫଳରେ ଆର୍ଥିକ ରାଜଧାନୀର ମୋଟ କେସ୍‌ ଲୋଡ୍‌ ୫ ଲକ୍ଷ ଅତିକ୍ରମ କରି ଯାଇଛି। ଫଳରେ ମୁମ୍ବାଇ କରୋନା ମାମଲାରେ ଜାପାନ ଓ ୟୁଏଇକୁ ପାର୍‌ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁମ୍ବାଇର ମୋଟ କରୋନା ମାମଲା ୪ ଲକ୍ଷରୁ ୫ ଲକ୍ଷ ପାର କରିବା ପାଇଁ ମାତ୍ର ୧୧ ଦିନ ସମୟ ଲାଗିଛି।

୧୧ ଦିନ ମଧ୍ୟରେ ଏଠାରେ ଲକ୍ଷେରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ୩ ଲକ୍ଷରୁ ୪ ଲକ୍ଷରେ କେସ୍‌ ଲୋଡ୍‌ ପହଞ୍ଚିବାକୁ ୭୫ ଦିନ ସମୟ ଲାଗିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ କରୋନାର ଦ୍ୱିତୀୟ ଲହରୀ କେତେ ଜୋର୍‌ରେ ସଂକ୍ରମିତ କରୁଛି।
ତଥ୍ୟ ଅନୁସାରେ ମୁମ୍ବାଇରେ ପ୍ରଥମ ୧ ଲକ୍ଷ କରୋନା ମାମଲା ପାଇଁ ୧୨୯ ଦିନ, ୧ ଲକ୍ଷରୁ ୨ ଲକ୍ଷ ପାଇଁ ୭୨ ଦିନ, ୨ ଲକ୍ଷରୁ ୩ ଲକ୍ଷ ପାଇଁ ୧୦୭ ଦିନ, ୩ ଲକ୍ଷରୁ ୪ ଲକ୍ଷ ପାଇଁ ୭୫ ଦିନ ଓ ୪ ଲକ୍ଷରୁ ୫ ଲକ୍ଷ ମାମଲା ପାଇଁ ମାତ୍ର ୧୧ ଦିନ ସମୟ ଲାଗିଛି। ସେହିପରି ଏପ୍ରିଲ ମାସରେ ମୁମ୍ବାଇ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

କେବଳ ମୁମ୍ବାଇ ନୁହେଁ, ପୂରା ମହାରାଷ୍ଟ୍ର ଏବେ କରୋନା ପଞ୍ଝାରେ ପଡ଼ିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮,୯୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୩୦୧ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ମୃତ୍ୟୁହାର ୧.୭୪% ଥିବା ବେଳେ ମୁମ୍ବାଇରେ ଏହା ୨.୫୫% ରହିଛି। ସେହିପରି ମହାରାଷ୍ଟ୍ରରେ ଆକ୍ଟିଭ କେସ୍ ୫,୩୪,୬୦୩ ଓ ମୁମ୍ବାଇରେ ଏହା ୮୮,୦୫୩।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।