ବନ୍ଧା ହେଲେ ବିବାଦୀୟ ପୁଲିସ ଅଫିସର ସଚିନ ବାଜେ

ମୁମ୍ୱାଇ: ବନ୍ଧା ହେଲେ ମୁମ୍ୱାଇ ପୁଲିସ ଅଫିସର ସଚିନ ବାଜେ। ଶନିବାର ଏନଆଇଏ ଦୀର୍ଘ ବାର ଘଣ୍ଟା ଧରି ସଚିନ ବାଜେଙ୍କୁ ଗୁଡାଇ ତୁଡାଇ ଜେରା କରିବା ପରେ ଶେଷରେ ରାତି ୧୧ଟା ୫୦ ମିନିଟରେ ବାନ୍ଧିଛି। ରବିବାର ଏନଆଇଏ ସଚିନ ବାଜେଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିବ। ତେବେ ଏନଆଇଏ ଆଗରେ ଜେରାର ସମ୍ମୁଖୀନ ହେବାକୁ ଯିବା ପୂର୍ବରୁ ଶନିବାର ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ସଚିନ। ହେଲେ କୋର୍ଟ ଜାମିନ ଖାରଜ କରିଦେଇଥିଲେ। ସଚିନଙ୍କୁ ଜେରା ହେବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ।

ଏନଆଇଏ ସଚିନ ବାଜେଙ୍କୁ ଗିରଫ କରିବା ପରେ ପ୍ରତିକ୍ରିୟାରେ କହିଛି, ଅମ୍ୱାନଙ୍କ ଘର ଆଗରେ ବୋମାଭର୍ତ୍ତି କାର ରଖିବା ମାମଲାରେ ସଚିନ ବାଜେଙ୍କର ସଂପୃକ୍ତି ରହିଥିବା ଜଣାପଡୁଛି। ତେଣୁ ତାଙ୍କୁ ଗିରଫ କରାଯାଇଛି। ଏନଆଇଏ ସଚିନଙ୍କ ବିରୋଧରେ ଧାରା ୨୮୬, ୪୬୫, ୪୭୩, ୫୦୬ (୨), ୧୨୦ବି ଇତ୍ୟାଦି ଦଫା ଲଗାଇଛି।

ନିକଟରେ ଫେବୃଆରୀ ୨୫ରେ ବିଜେନସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘର ଆଗରୁ ଏକ ବୋମାଭର୍ତ୍ତି କାର ଉଦ୍ଧାର ହୋଇଥିଲା। ଏହି ବୋମାଭର୍ତ୍ତି କାରର ମାଲିକ ମନସୁଖ ହିରେନ ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କ ମୃତ ଦେହ ରହସ୍ୟଜନକ ଭାବରେ ଏକ ନଦୀରୁ ଉଦ୍ଧାର ହୋଇଥିଲା। ଆଉ ମୃତକଙ୍କ ପରିବାର ଲୋକେ ସିଧା ସଚିନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଥିଲେ। ସବୁଠୁ ବଡ଼ କଥା ହେଲା ବୋମା ଭର୍ତ୍ତି କାର ଉଦ୍ଧାର ହେବା ପରେ ମହାରାଷ୍ଟ୍ର ସରକାର ସଚିନ ବାଜେଙ୍କୁ ହିଁ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଚିନ ସେତେବେଳେ କ୍ରାଇମବ୍ରାଞ୍ଚରେ ଥିଲେ। ଏହାପରେ ଏଟିଏସ ମଧ୍ୟ ତଦନ୍ତ କରୁଥିଲା। ତେବେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ଓ ମୃତକଙ୍କ ସ୍ତ୍ରୀ, ସଚିନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ। ଏମିତିକି ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ସଚିନ ବାଜେ ହେଉଛନ୍ତି ସେହି ପୁଲିସ ଅଫିସର ଯିଏକି ପୂର୍ବରୁ ହାଜତ ମୃତ୍ୟୁ ମାମଲାରେ ନିଲମ୍ୱିତ ହୋଇଥିଲେ। ପରେ ଶିବସେନାରେ ଯୋଗ ଦେଇଥିଲେ। ହେଲେ କୋଭିଡ୍ ସମୟରେ ଉଦ୍ଧବ ସରକାର ତାଙ୍କ ଉପରେ ଲାଗିଥିବା ନିଲମ୍ୱନ ଆଦେଶ ପ୍ରତ୍ୟାହାର କରିଥିଲେ। ଆଉ ପୁଲିସ ଚାକିରିରେ ଯୋଗ ଦେଇଥିଲେ।

ତେବେ ହତ୍ୟା ଅଭିଯୋଗ ଆସିବା ପରେ ସଚିନ ବାଜେଙ୍କୁ ମୁମ୍ୱାଇ କ୍ରାଇମବ୍ରାଞ୍ଚରୁ ମଧ୍ୟ ହଟାଇ ଦେଇଛନ୍ତି ଉଦ୍ଧବ ସରକାର। ଏହାପରେ ସଚିନ ବାଜେ ତାଙ୍କ ହ୍ୱାଟସଆପ ଷ୍ଟାଟସରେ କହିଥିଲେ ସେ ନିର୍ଦ୍ଦୋଶ। ଯେଉଁ ଗାଡ଼ି ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହୋଇଛି ସେ ଗାଡ଼ି ଚଳାଉନଥିଲେ ବୋଲି କହିଥିଲେ।

ପେବୃଆରୀ ୨୫ରୁ ମାର୍ଚ୍ଚ ୫

ଫେବୃଆରୀ ୨୫ ତାରିଖରେ ଏକ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହୋଇଥିଲା। ହେଲେ କିଛି ଦିନ ପରେ ମାର୍ଚ୍ଚ ୫ରେ କାର ମାଲିକ ମନସୁଖ ହିରେନଙ୍କ ମୃତ ଶରୀର ଥାନେ ସ୍ଥିତ ମୁମବ୍ରା କ୍ରିକରୁ ଉଦ୍ଧାର ହୋଇଥିଲା। ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ମୃତକଙ୍କ ପତ୍ନୀବିମଳା ହିରେନ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଥିଲେ।

ବିମଳା ମାର୍ଚ୍ଚ ୯ରେ ଏତଲା ଦେବା ବେଳେ କହିଥିଲେ ତାଙ୍କ ସ୍ୱାମୀ ଜଣେ ଅଟୋ ପାର୍ଟସ ଡିଲର। ସେ ସ୍କୋର୍ପିଓ କାରକୁ ତିନି ବର୍ଷ ହେବ କିଣିଥିଲେ। ଏହି କାରର ମୂଳ ମାଲିକ କିନ୍ତୁ ପିଟର ନ୍ୟୁଟନ। ଗତ ବର୍ଷ ନଭେମ୍ବରରେ ହିରେନ ନିୟମିତ ଗ୍ରାହକ ଭାବରେ ସଚିନ ବାଜେଙ୍କୁ ଏହି କାର ଦେଇଥିଲେ ଚଲାଇବା ପାଇଁ।

କିନ୍ତୁ ସଚିନ ବାଜେ ମନସୁଖଙ୍କୁ ଫେବୃଆରୀ ୫ରେ ଷ୍ଟିଅରିଂ ଜାମ୍ ଅଛି ବୋଲି କହି ଏହି କାର ଫେରାଇ ଦେଇଥିଲେ। ଏହାପରେ ଫେବୃଆରୀ ୧୭ରେ ମନସୁଖ ହିରେନ୍ ମୁମ୍ୱାଇ ନେଇ ଏହି କାରକୁ ଯାଇଥିଲେ। ମୁଲୁନ୍ଦ ଟୋଲ ପ୍ଲାଜା ନିକଟରେ ସେ କାରଟିକୁ ପାର୍କିଂ କରିଥିଲେ। ହେଲେ ଏହାର ପରଦିନ ସ୍କୋର୍ପିଓ କାରଟି ଚୋରି ହୋଇଯାଇଥିଲା।

କାର ଚୋରି ହେବା ପରେ ମନସୁଖ ବିଖ୍ରୋଲି ପୁଲିସରେ ଏତଲା ଦେଇଥିଲେ। ତେବେ ଫେବୃଆରୀ ୨୫ରେ କାରଟି ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହେବା ପରେ ବିଖ୍ରୋଲି ଏଟିଏସ ମନସୁଖଙ୍କୁ ଜେରା କରିଥିଲା। ତେବେ ମନସୁଖ ଚୋରି ହୋଇଥିବା ନେଇ ଏତଲା ଦେଇଥିବା ଏଟିଏସକୁ ଦେଖାଇଥିଲେ।

ତେବେ ଫେବୃଆରୀ ୨୭, ୨୮ ଏବଂ ମାର୍ଚ୍ଚ ୨ ଯାଏ ମନସୁଖ ସଚିନ ବାଜେଙ୍କ ସହିତ ଥିଲେ। ମନସୁଖ ମାର୍ଚ୍ଚ ୪ରେ ଫୋନ୍ କରିଥିଲେ ମନସୁଖ ବିମଳାଙ୍କୁ ଫୋନ୍ କରିଥିଲେ। କହିଥିଲେ ସଚିନ ବାଜେ ତାଙ୍କୁ ସରେଣ୍ଡର କରିବାକୁ ପରାମର୍ଶ ଦେଉଛନ୍ତି। ତିନି ଚାରି ଦିନ ଭିତରେ ସେ ଜାମିନ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ମନସୁଖ ତାଙ୍କୁ ଫୋନରେ କହିଥିବା ବିମଳା କହିଛନ୍ତି। ତେବେ ଏହାପରେ ମାର୍ଚ୍ଚ ୫ରେ ମନସୁଖଙ୍କ ମୃତ ଶରୀର ମମବ୍ରା କ୍ରିକରୁ ଉଦ୍ଧାର ହୋଇଥିଲା। ଥାନେ ପୁଲିସ କହିଛି ମୃତ ଶରୀର ଉଦ୍ଧାର ହେବା ବେଳେ ମୃତକଙ୍କ ମୁହଁରେ ଚାରି ପାଞ୍ଚୋଟି ରୁମାଲ ବନ୍ଧାଯାଇଥିଲା। ମନସୁଖ ପହଁରିବା ଜାଣିଛନ୍ତି। ସେ ଭଲ ଭାବରେ ପହଁରିବାର ଦକ୍ଷତା ରଖିଛନ୍ତି। ତେଣୁ ସେ ପାଣିର ବୁଡ଼ି କେବେ ଆତ୍ମହତ୍ୟା କରି ନାହାନ୍ତି ବୋଲି ମୃତକଙ୍କ ସ୍ତ୍ରୀ କହିଛନ୍ତି। ତାଙ୍କୁ ହତ୍ୟା କରାଯାଇଛି, ସଚିନ ବାଜେ ହିଁ ତାଙ୍କୁ ହତ୍ୟା କରିଥିବା ସେ ସନ୍ଦେହ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।