ବଦଳିଲେ ପରମବୀର ସିଂହ, ହେମନ୍ତ ହେଲେ ନୂଆ ପୁଲିସ୍‌ ମୁଖ୍ୟ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାରେ ମୁମ୍ବାଇ ପୁଲିସ୍‌ର ନିଲମ୍ବିତ ଅଧିକାରୀ ସଚିନ ବାଜେ ଗିରଫ ହେବା ପରେ ଏବେ ବଡ଼ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଆଜି ପରମବୀର ସିଂହଙ୍କୁ ରାଜ୍ୟ ସରକାର ମୁମ୍ବାଇ ପୁଲିସ୍‌ କମିଶନର ପଦରୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ହେମନ୍ତ ନାଗରେଲ ମୁମ୍ବାଇ ପୁଲିସ୍‌ର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏବେ ପରମବୀର ସିଂହ ରାଜ୍ୟ ହୋମଗାର୍ଡର ଡିଜି ଭାବେ କାର୍ଯ୍ୟ କରିବେ। ଏ ସମ୍ପର୍କରେ ଆଜି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୂଚନା ଦେଇଛନ୍ତି।

ବିସ୍ଫୋରଣ ଖଚିତ ଗାଡ଼ି ମିଳିବା ଘଟଣାରେ ଗିରଫ ସଚିନ ସିଧାସଳଖ ପରମବୀର ସିଂହଙ୍କୁ ରିପୋର୍ଟ କରୁଥିଲେ। ଆଉ ସଚିନ ଏନଆଇଏ ଦ୍ୱାରା ଗିରଫ ହେବା ପରେ ପରମବୀର ସିଂହ ବିବାଦରେ ଫସିଥିଲେ। ପୂର୍ବରୁ ଫେକ୍‌ ଏନକାଉଣ୍ଟର ଘଟଣାରେ ସଚିନ ବାଜେ ୧୬ ବର୍ଷ ଧରି ନିଲମ୍ବିତ ହୋଇଥିଲେ। କିନ୍ତୁ ପରମବୀର ସିଂହଙ୍କ ନେତୃତ୍ୱାଧୀନ କମିଟି ହିଁ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ସଚିନ ବାଜେ ପୁଣିଥରେ ମୁମ୍ବାଇ ପୁଲିସ୍‌ର ଆସିସଷ୍ଟାଣ୍ଟ ପୁଲିସ୍‌ ଇନସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

ଫେବୃଆରୀ ୨୫ରେ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ଗୋଟିଏ ସ୍କର୍ପିଓ ଜବତ କରାଯାଇଥିଲା। ଏହା ମଧ୍ୟରୁ ବିପୁଳ ପରିମାଣର ଜିଲୋଟିନ ଓ ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଥିଲା। ଏହି ଘଟଣାର ତଦନ୍ତ ସଚିନ ହିଁ ପ୍ରଥମେ ଆରମ୍ଭ କରିଥିଲେ। ଗାଡ଼ିଟି ମନସୁଖଙ୍କର ବୋଲି ଜଣାପଡ଼ିଥିଲା। ସେ ଫେବୃଆରୀ ୧୭ ତାରିଖରୁ ଗାଡ଼ିଟି ଚୋରି ହୋଇଯାଇଥିବା ପୁଲିସ୍‌ରେ ରିପୋର୍ଟ କରିସାରିଥିଲେ।

ଘଟଣାର ତଦନ୍ତ ଚାଲିଥିବା ବେଳେ ହଠାତ୍‌ ମୁନସୁଖଙ୍କ ମୃତଦେହ ମାର୍ଚ୍ଚ ୫ ତାରିଖରେ ମିଳିଥିଲା। ମନସୁଖଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ  ସଚିନ ବାଜେଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ। ଏହାପରେ ଏନଆଇଏ ଘଟଣାର ତଦନ୍ତ ଆରମ୍ଭ କରି ଗତ ଶନିବାର ସଚିନ ବାଜେଙ୍କୁ ୧୩ ଘଣ୍ଟା କାଳ ଜେରା କରିବା ପରେ ଗିରଫ କରିଥିଲା। ଏହାକୁ ନେଇ ପରମବୀରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଗତକାଲି ଏନଆଇଏ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସ ନିକଟରେ ପାର୍କିଂ ହୋଇଥିବା ଏକ କଳା ମର୍ସଜିଡ କାର୍‌କୁ ଜବତ କରିଛି।

ଏହି କାର୍‌ ଭିତରୁ ଅମ୍ବାନୀଙ୍କ ଘର ଆଗରୁ ଜବତ ହୋଇଥିବା ସ୍କର୍ପିଓ ଗାଡିର ପ୍ରକୃତ ନମ୍ବର ପ୍ଲେଟ ମିଳିଛି। କେବଳ ସେତିକି ନୁହେଁ, ମର୍ସଡିଜ କାର୍‌ ଭିତରୁ ଅନେକ ଚୋରା ଗାଡି ନମ୍ବର ପ୍ଲେଟ ମଧ୍ୟ ଜବତ ହୋଇଛି। ଏଥିସହ ନଗଦ ୫ଲକ୍ଷ ୭୫ ହଜାର ଟଙ୍କା, ପେଟ୍ରୋଲ, ଡିଜେଲ ମଧ୍ୟ ମିଳିଥିବା ସୂଚନା ରହିଛି। ଏହି କାର୍‌ଟିକୁ ସଚିନ ବାଜେ ବ୍ୟବହାର କରୁଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।