୬୦ ବର୍ଷ ପରେ ବିଧାନସଭାରେ ଶୁଭିଲା ଜାତୀୟ ସଂଗୀତ

ନୂଆଦିଲ୍ଲୀ: ରାଜ୍ୟ ମାନ୍ୟତା ପାଇବାର ପ୍ରାୟ ୬୦ ବର୍ଷ ପରେ ପ୍ରଥମଥର ପାଇଁ ନାଗାଲାଣ୍ଡ ବିଧାନସଭାରେ ଦେଶର ଜାତୀୟ ସଂଗୀତ ‘ଜନ ଗଣ ମନ’ ଶୁଭିଛି। ଏହା ଏକ ଐତିହାସିକ ଘଟଣା। କାରଣ ରାଜ୍ୟରେ ଏବେ ବି ବିଦ୍ରୋହୀଙ୍କ ଦବଦବା ରହିଛି। ଶାନ୍ତି ପାଇଁ ଚାଲିଥିବା ଆଲୋଚନା ଅନିଶ୍ଚିତତା ମଧ୍ୟରେ ରହିଛି। ତଥାପି ବିଧାନସଭାରେ ଜାତୀୟ ସଂଗୀତ ବାଜିବା ସମସ୍ତଙ୍କ ପାଇଁ ଏକ ଆଶ୍ୱସ୍ତକର ଖବର ଆଣିଛି।

୧୯୬୩ ମସିହା ଡିସେମ୍ବର ୧ରେ ନାଗାଲାଣ୍ଡକୁ ରାଜ୍ୟ ମାନ୍ୟତା ମିଳିଥିଲା। ଚଳିତ ବର୍ଷ ଫେବୃଆରୀ ୧୨ରେ ବିଧାନସଭାର ବଜେଟ୍‌ ଅଧିବେଶନ ରାଜ୍ୟପାଳ ଆରଏନ ରବିଙ୍କୁ ଉଦବୋଧନରୁ ଆରମ୍ଭ ହୋଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣର ପୂର୍ବରୁ ଓ ପରେ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା।

ସାଧାରଣତଃ ସବୁ ରାଜ୍ୟରେ ଏପରି ହୋଇଥାଏ। କିନ୍ତୁ ନାଗାଲାଣ୍ଡରେ ଏହା ପୂର୍ବରୁ କେବେ ହେଲେ ବିଧାନସଭାରେ ଜାତୀୟ ସଂଗୀତ ପରିବେଷଣ କରାଯାଉ ନଥିଲା। ତେଣୁ ଏଥର ପ୍ରଥମଥର ପାଇଁ ଜାତୀୟ ସଂଗୀତ ବିଧାନସଭାରେ ଶୁଣିବାକୁ ମିଳିଛି। ବିଧାନସଭା ବାଚସ୍ପତି ଏସ୍‌ ଲଙ୍ଗକୁମେରଙ୍କ ପରାମର୍ଶକ୍ରମେ ଏପରି କରାଯାଇଛି। ସେ ୨୦୨୦ ଫେବୃଆରୀ ମାସରେ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ସେ ହିଁ ବିଧାନସଭା ଅଧିକାରୀଙ୍କୁ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ଓ ପରେ ଜାତୀୟ ସଂଗୀତ ବଜାଇବାକୁ କହିଥିଲେ।

ଅନ୍ୟପକ୍ଷରେ ବିଧାନସଭାରେ ଜାତୀୟ ସଂଗୀତ ପରିବେଶଣ ପାଇଁ ଭାରତୀୟ ସମ୍ବିଧାନରେ କୌଣସି ବାଧ୍ୟତାମୂଳକ ନିୟମ ନାହିଁ। ଏଥିରେ କେବଳ ଜାତୀୟ ସଂଗୀତକୁ ସମ୍ମାନ ଦେବାର କଥା କୁହାଯାଇଛି। ସମ୍ବିଧାନ ଗ୍ରହଣ କରିବା ବେଳେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୪ରେ ପ୍ରଥମଥର ଜାତୀୟ ସଂଗୀତ ପରିବେଶଣ କରାଯାଇଥିଲା।

ଏହାପରେ ବିଭିନ୍ନ ରାଜ୍ୟର ବିଧାନସଭାରେ ଏହାକୁ ନିୟମିତ ପରିବେଷଣ କରାଯାଉଥିଲା। ହେଲେ ଏହା ବାଧ୍ୟତାମୂଳକ ନଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।