୧୫ରୁ ୨୧ ଯାଏ ଲାଗୁ ହେବ ଲକଡାଉନ, କେବଳ ଜରୁରୀ ସେବାକୁ ମିଳିବ ଅନୁମତି

ନାଗପୁର: ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁରରେ ସପ୍ତାହକ ପାଇଁ ଲକଡାଉନ ଲାଗୁ କରାଯାଇଛି। ମାର୍ଚ୍ଚ ୧୫ରୁ ୨୧ ଯାଏ ପୂରା ନାଗପୁରରେ ଲକଡାଉନକୁ କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯିବ। ଲକଡାଉନ ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନକୁ ଛାଡ଼ି ଦେଲେ ଆଉ ସବୁ କିଛି ବନ୍ଦ ରହିବ। ପରିବା ଦୋକାନ, ଫଳ ଓ କ୍ଷୀର ବୁଥ ଲକଡାଉନ ବେଳେ ଚାଲିପାରିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ଖାଲି ସେତିକି ନୁହେଁ, ଆଗକୁ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ଲକଡାଉନ ଲାଗୁ କରାଯାଇପାରେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଙ୍କେତ ଦେଇଛନ୍ତି। କରୋନା ଟିକାର ପ୍ରଥମ ଡୋଜ୍‌ ନେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଆଗାମୀ ଦିନରେ ଆଉ କିଛି ସ୍ଥାନରେ ଲକଡାଉନ ଲାଗୁ ହୋଇପାରେ। ଆମେ ଏ ସର୍ମ୍ପକରେ କିଛି ଦିନ ମଧ୍ୟରେ ନିଷ୍ପତ୍ତି ନେବୁ। ଏବେ କେବଳ ନାଗପୁର କମିଶନରେଟ୍‌ ପୁଲିସ୍‌ ଅଧୀନରେ ଥିବା ସବୁ ସ୍ଥାନରେ ଲକଡାଉନ ଲାଗୁ କରାଯାଉଥିବା ସେ କହିଛନ୍ତି।

ବୁଧବାର ନାଗପୁରରୁ ୧୭୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଆସନ୍ତା ୧୪ ତାରିଖ ଯାଏ ଏଠାରେ ନାଟ କର୍ଫ୍ୟୁ ମଧ୍ୟ ଲଗା ଯାଇଥିଲା।

ମହାରାଷ୍ଟ୍ରରେ ପ୍ରାୟ ଗୋଟିଏ ମାସ ହେଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୨୩ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୩ ହଜାରରୁ ଅଧିକ ରହିଥିଲା। କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ବାଧ୍ୟ ହୋଇ ଲକଡାଉନ ଲାଗୁ କରିଥିବା ଜଣାପଡ଼ିଛି।

ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୬୦% ଲୋକ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଠାକରେ ପ୍ରଶାସନ ସ୍ଥାନୀୟ ସରକାରୀଙ୍କ ଉପରେ କଟକଣା ଲାଗୁ କରିବା ନିଷ୍ପତ୍ତି ଛାଡ଼ି ଦେଇଛନ୍ତି। ସେମାନେ ସ୍ଥିତିକୁ ଦେଖି ଲକଡାଉନ ଓ ଶଟଡାଉନ ଭଳି କଟକଣା ଲଗାଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଦୁଇ ଦିନ ତଳେ ଜଲଗାଓଁରେ ୩ ଦିନ ପାଇଁ ଜନତା କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା। ଆଜି ରାତି ୮ଟାରୁ ସୋମବାର ସକାଳ ୮ଟା ଯାଏ ଜନତା କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।