ରାଜ୍ୟସଭାରେ ବିଜେପି ଉପନେତା ହେଲେ ମୁକ୍ତାର ଆବାସ ନକଭୀ

ନୂଆଦିଲ୍ଲୀ: ବରିଷ୍ଠ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବାସ ନକଭୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଏଣିକି ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ଉପନେତା ଭାବେ କାର୍ଯ୍ୟ କରିବେ। ପୂର୍ବରୁ ବିଜେପି ପୀୟୂଷ ଗୋୟଲଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳ ନେତା କରିଥିଲା। ଏବେ ମୁକ୍ତାର ତାଙ୍କ ଡେପୁଟି ଭାବେ କାମ କରିବେ।

ପୂର୍ବରୁ ଏହି ପଦ ପାଇବା ଦୌଡ଼ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁ ଚର୍ଚ୍ଚାରେ ରହିଥିଲା। ହେଲେ ଆଜି ମୁକ୍ତାରଙ୍କ ନାଁରେ ମୋହର ବାଜିଛି। ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନାହିଁ। ତେଣୁ ମୁକ୍ତାର ଓ ପୀୟୂଷ ଗୋଏଲ ଏବେ ବିଭିନ୍ନ ରାଜନୀତିକ ପ୍ରସଙ୍ଗରେ ଗୃହକୁ କେମିତି ପରିଚାଳନା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ବିଧେୟକ ଆସିବା ବେଳେ ସରକାରଙ୍କ ପକ୍ଷ ଏମାନେ କେମିତି ରଖୁଛନ୍ତି, ତା’କୁ ମଧ୍ୟ ଦେଖିବାକୁ ପଡ଼ିବ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, “କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭୀ ରାଜ୍ୟସଭାର ଡେପୁଟି ଲିଡର ହେଲେ ବୋଲି ପ୍ରଧାନମନ୍ତ୍ରୀ ମୋତେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।”

ବିଜେପିର ବରିଷ୍ଠ ନେତା ନକଭୀ ଦୀର୍ଘ ଦଶନ୍ଧି ହେଲା ଦଳ ପାଇଁ କାମ କରୁଛନ୍ତି। ସେ ମୋଦି ସରକାର-୧ରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଥିଲେ। ସେ ଏକମାତ୍ର ମୁସଲିମ ଚେହେରା ଭାବେ କ୍ୟାବିନେଟରେ ଅଛନ୍ତି। ଅଟ୍ଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।