ଇସ୍ତଫା ଫେରାଇ ନେଲେ ସିଦ୍ଧୁ, କିନ୍ତୁ କଂଗ୍ରେସ ଆଗରେ ରଖିଲେ ନୂଆ ସର୍ତ୍ତ

ଅମୃତସର: ଶେଷରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ଆଜି ବିଧିବଦ୍ଧ ଭାବେ ଏହାକୁ ଫେରାଇ ନେଇଛନ୍ତି। ସେ ଦୀର୍ଘ ଦିନରୁ କଂଗ୍ରେସର ପଞ୍ଜାବ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ହେଁ ଏହାକୁ ହାଇକମାଣ୍ଡ ଗ୍ରହଣ କରି ନଥିଲେ। ଆଜି ଶେଷରେ ସେ ନିଜର ଇସ୍ତଫାପତ୍ର ଫେରାଇ ଆଣିଥିବା ଜଣାପଡ଼ିଛି।

ତେବେ ଇସ୍ତଫା ପତ୍ର ଫେରାଇ ଆଣିଥିବା ସିଦ୍ଧୁ କଂଗ୍ରେସ ଆଗରେ ନୂଆ ସର୍ତ୍ତ ରଖିଛନ୍ତି। ଯେଉଁ ପର୍ଯ୍ୟନ୍ତ ପଞ୍ଜାବରେ ନୂଆ ଆଡଭୋକେଟ ଜେନେରାଲ ନିଯୁକ୍ତ ହୋଇନାହାନ୍ତି ସେଯାଏ ସିଦ୍ଧୁ ପଞ୍ଜାବର କଂଗ୍ରେସ ଅଫିସକୁ ଆସିବେ ନାହିଁ ବୋଲି ଦଳ ଆଗରେ ସର୍ତ୍ତ ରଖିଛନ୍ତି।

ସିଦ୍ଧୁଙ୍କ ଏହି ନୂଆ ସର୍ତ୍ତ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କାରଣ ବର୍ତ୍ତମାନ ପଞ୍ଜାବର ଆଡଭୋକେଟ ଜେନେରାଲ ଭାବେ କାମ କରୁଥିବା ଏପିଏସ୍‌ ଦେଓଲ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସିଦ୍ଧୁ ଚାହୁଁଛନ୍ତି। ଏହାକୁ ନେଇ ବିବାଦ ହେବାରୁ ଦେଓଲ ମଧ୍ୟ ପଦ ଛାଡ଼ିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଚିନ୍ନି ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନାହାନ୍ତି। ତେଣୁ ସିଦ୍ଧୁ ଆଜି ରଖିଥିବା ସର୍ତ୍ତ ଚନ୍ନିଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ସିଦ୍ଧୁ ଆଜି କହିଛନ୍ତି, “ମୁଁ ମୋର ଇସ୍ତଫାପତ୍ର ଫେରାଇ ଆଣିଛି। କିନ୍ତୁ ଯେତେବେଳେ ପଞ୍ଜାବରେ ନୂଆ ଆଡଭୋକେଟ ଜେନେରାଲ ନିଯୁକ୍ତ ହେବେ ସେତେବେଳେ ମୁଁ ପାର୍ଟି ଅଫିସକୁ ଯିବି। ଏଥିସହ ଦାୟିତ୍ୱ ମଧ୍ୟ ଗ୍ରହଣ କରିବି।”

୨୦୧୫ରେ ଦେଓଲ ଦୁଇ ଅଭିଯୁକ୍ତ ପୁଲିସ୍‌ ଅଧିକାରୀଙ୍କ ପାଇଁ ମାମଲା ଲଢ଼ିଥିଲେ। ଏଥିପାଇଁ ସିଦ୍ଧୁ ତାଙ୍କୁ ପଞ୍ଜାବର ଆଡଭୋକେଟ ଜେନେରାଲ ଭାବେ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ବାରମ୍ବାର ତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ବିବାଦ ବଢ଼ିବାରୁ ଶ୍ରୀ ଦେଓଲ ସୋମବାର ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।