ସଚିନ ବାଜେ ଗିରଫ ପରେ ରାଜନୀତିକ ହଟଚମଟ, ଶରଦ ପାଓ୍ୱାର ଡାକିଲେ ବୈଠକ

ମୁମ୍ୱାଇ: ମୁମ୍ୱାଇ ପୁଲିସର ଏପିଆଇ ସଚିନ ବାଜେ ଗିରଫ ହେବାପରେ ମହାରାଷ୍ଟ୍ରରେ ରାଜନୀତିକ ହଟଚମଟ ଆରମ୍ଭ ହୋଇଛି। ତାଙ୍କ ଗିରଫଦାରୀକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ୟା ଭିତରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏ ନେଇ ଦଳୀୟ ମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି।

ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ରହିଛନ୍ତି। ସେ ଏନସିପିର ବିଧାୟକ। ତେଣୁ ଆଗାମୀ ଦିନରେ ଆଇନ ଶୃଙ୍ଖଳା ନେଇ ଏନସିପି ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇପାରେ। ସେହିଦୃଷ୍ଟିରୁ ଏନ୍‌ସିପି ସୁପ୍ରିମୋ ବୈଠକ ଡାକିଥିବା କୁହାଯାଉଛି।

ମୁକେଶ ଅମ୍ୱାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି କାର୍‌ ରଖିବା ମାମଲାରେ ସଚିନ ବାଜେଙ୍କ ସଂପୃକ୍ତି ରହିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଜାଣିବାକୁ ପାଇଛି। ତେବେ ତାଙ୍କ ସହିତ କିଛି ନେତା ଓ ଅଫିସର ବି ଏଥିରେ ସାମିଲ ଥିବା ଏନ୍‌ଆଇଏ ତଦନ୍ତ ବେଳେ ଜାଣିବାକୁ ପାଇଥିବା ସୂଚନା ରହିଛି।

୨୦୦୪ରେ ସଚିନଙ୍କୁ ଏକ ହାଜତ ମୃତ୍ୟୁ ମାମଲା ୧୭ ବର୍ଷ ଚାକିରିରୁ ନିଲମ୍ୱନ କରାଯାଇଥିଲା। ୨୦୦୮ରେ ସେ ଶିବସେନାରେ ସାମିଲ୍ ହୋଇଥିଲେ। ଚାକିରିରେ ପୁନଃ ଅବସ୍ଥାପିତ ହେବା ପୂର୍ବରୁ ସେ ଉଦ୍ଧବ ଠାକରେଙ୍କ ନିକଟତମ ଲୋକ ମଧ୍ୟ ହୋଇଯାଇ ଥିଲେ। କୋଭିଡ୍‌ ବେଳେ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀ ଆବଶ୍ୟକ କହି ସରକାର ସଚିନ ବାଜେଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରି ନେଇଥିଲେ। ଅବଶ୍ୟ ଏହାକୁ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ବିରୋଧ କରିଥିଲେ। ସେ କହିଥିଲେ, ଏହା ହାଇକୋର୍ଟଙ୍କ ଆଦେଶର ଅବମାନନା।

ଏବେ ବିଜେପି ନେତା ରାମ କଦମ ମଧ୍ୟ ସଚିନ ବାଜେଙ୍କର ନାର୍କୋ ଟେଷ୍ଟ କରିବାକୁ ଦାବି କରିଛନ୍ତି। ସେହିପରି କାର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ସହିତ ଏହି ମାମଲା ଯୋଡ଼ି ହୋଇଥିବାରୁ ଏନଆଇଏ ମୁମ୍ୱାଇ କ୍ରାଇମବ୍ରାଞ୍ଚ ପାଖରୁ ଏହି ମାମଲା ନେଇପାରେ। ମନସୁଖଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ପୁଲିସ କହିଛି। ହେଲେ ତାଙ୍କ ପରିବାର ଲୋକ ଏବଂ ବିଜେପି ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି। ସଚିନ ବାଜେ ହିଁ ମନସୁଖଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି।

ଅନ୍ୟପଟେ ସଚିନ ବାଜେଙ୍କ ନିର୍ଦ୍ଦେଶରେ ଅମ୍ୱାନୀଙ୍କ ଘର ଆଗରେ ବୋମାଭର୍ତ୍ତି ଗାଡ଼ି ରଖାଯାଇଥିବା ଜଣାପଡ଼ିଛି। ଏମିତିକି ମୁମ୍ୱାଇ ପୁଲିସ ସେହି ସମୟରେ ଏସକର୍ଟ ବା ସୁରକ୍ଷା ଯୋଗାଇଥିବା ଜଣାପଡ଼ିଛି।

ଶିବସେନା ନେତା ସଞ୍ଜୟ ରାଉତ ସଚିନ ବାଜେଙ୍କୁ ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ବୋଲି କହିଛନ୍ତି। କେନ୍ଦ୍ର ଅଧୀନରେ ଏନଆଇଏ ରହିଛି। ତେଣୁ ଉଦ୍ଦେଶ୍ୟ ରଖି ସଚିନ ବାଜେଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି ବୋଲି ଶିବସେନା କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।