ଅନୀଲ ଦେଶମୁଖ ଇସ୍ତଫା ଦେବେ? ପାଓ୍ୱାରଙ୍କ ଘରେ ଏନସିପି ନେତା

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କ ନାଁରେ ବଟି ଆଦାୟ ଅଭିଯୋଗ ଆସିଛି। ପୂର୍ବତନ ପୁଲିସ କମିଶନର ଏହି ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତିରେ ସୁନାମୀ ଦେଖିବାକୁ ମିଳିଛି। ବିରୋଧୀ ବିଜେପି ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିବା ସହିତ ପୂର୍ବତନ ପୁଲିସ କମିଶନର ପରମବୀରଙ୍କ ଚିଠିର ତଦନ୍ତ ଦାବି କରିଛି। ତେଣେ ଦଳର ଭାବମୂର୍ତ୍ତି ଏବଂ ମେଣ୍ଟକୁ ନେଇ ଦିଲ୍ଲୀରେ ଶରଦ ପାଓ୍ୱାର ବୈଠକ କରିଛନ୍ତି।

ଏନସିପି ହାଇକମାଣ୍ଡ ଡାକିଥିବା ଏହି ବୈଠକରେ ସାଂସଦ ସୁପ୍ରିୟା ସୁଲେ, ପ୍ରଫୁଲ ପଟେଲ, ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର, ଜୟନ୍ତ ପାଟିଲ, କଂଗ୍ରେସ ନେତା କମଲନାଥ ସାମିଲ୍ ହୋଇଥିଲେ। ବୈଠକରେ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉଦ୍ଦେଶ୍ୟ ଏବଂ ସତ୍ୟାସତ୍ୟ ବାବଦରେ ବିଚାର ବିମର୍ଷ ହୋଇଥିଲା। ଆଉ ବୈଠକ ପରେ ଜୟନ୍ତ ପାଟିଲ କହିଛନ୍ତି ଅନୀଲ ଦେଶମୁଖ ଇସ୍ତଫା ଦେବାର ଆବଶ୍ୟକତା ନାହିଁ।

ସମସ୍ତ ମାମଲାର ତଦନ୍ତ ଏଟିଏସ ଏବଂ ଏନଆଇଏ କରୁଛି। ରାଜ୍ୟ ସରକାର ଏହି ସବୁ ପ୍ରସଙ୍ଗରେ ତଦନ୍ତ ଭଲ ଭାବରେ କରିବେ। ଯିଏବି ଦୋଷୀ ସାବ୍ୟସ୍ତ ହେବ ସେ ଦଣ୍ଡିତ ହେବେ ବୋଲି ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି।

ତେବେ ପରମବୀର ସିଂହଙ୍କ ଚିଠି ବାବଦରେ ପ୍ରତିକ୍ରିୟା ରଖି ପାଟିଲ କହିଛନ୍ତି, ପରମବୀର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ତଦନ୍ତକୁ ବିଳମ୍ୱିତ କରିବାକୁ ପ୍ରୟାସ। ତେଣୁ ଅନୀଲ ଦେଶମୁଖ ଇସ୍ତଫା ଦେବାର ଆବଶ୍ୟକତା ନାହିଁ।

ତେବେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବୈଠକରେ ଏନସିପି ନେତା କହିଥିଲେ ଯଦି ଦେଶମୁଖ ଇସ୍ତଫା ଦେବେ ତାହେଲେ ବିଜେପି ଅନ୍ୟାନ୍ୟ ମନ୍ତ୍ରୀ ଚାନ୍ଦା ନେଉଛନ୍ତି ବୋଲି ଅଭିଯୋଗ ଆଣି ଇସ୍ତଫା ଦାବି କରିପାରେ। ଏମିତିକି ଦେଶମୁଖ ଇସ୍ତଫା ଦେଲେ ସରକାରର ଦୁର୍ବଳତା ଲୋକଙ୍କ ସାମ୍ନାକୁ ଚାଲିଆସିବ। ତେଣୁ ବିରୋଧୀ ବିଜେପି ମୁହଁକୁ ଚୁପ୍ କରିବାକୁ ହେଲେ ତଦନ୍ତ ଉପରେ ସରକାର ଆଭିମୁଖ୍ୟକୁ ଜୋରଦାର କରିବା ଦରକାର। ପରମବୀରଙ୍କୁ ପୁଲିସ କମିଶନର ପଦବୀରୁ ବଦଳି କରିବାରୁ ସେଥିରେ ଅସନ୍ତୋଷ ପ୍ରକାଶ କରି ଏଭଳି ଚିଠି ଡ୍ରାମା କରାଯାଇଛି ବୋଲି ଦେଶମୁଖ ପାଓ୍ୱାରଙ୍କୁ କହିଥିବା ସୂଚନା ରହିଛି।

ତେବେ ଏନିସିପି ଏବଂ କଂଗ୍ରେସ ନେତାଙ୍କ ମିଳିତ ବୈଠକ ପୂର୍ବରୁ ଶିବସେନା ସାଂସଦ ସଞ୍ଜୟ ରାଉତ ଶରଦ ପାଓ୍ୱାରଙ୍କୁ ଦିଲ୍ଲୀରେ ଭେଟିଥିଲେ। ଆସନ୍ତାକାଲି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବେ। ଏହାପରେ ଦେଶମୁଖଙ୍କ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।