ଟିକାକରଣ ସତ୍ତ୍ୱେ ଦେଶକୁ ଘାରିଛି ଚିନ୍ତା, ୫ ଦିନରେ ୧ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି। କୋଭିଡ୍ ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ଭାରତ ଏବେ ଟିକାକରଣକୁ ଗୁରୁତ୍ୱ ଦେଇଛି। ଏହାରି ଭିତରେ ୫ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଦେଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକରୁ ଅଧିକ ରହୁଥିବାରୁ ଏହା କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ବୋଲି କୁହାଯାଉଛି।

ଗତବର୍ଷ ଠିକ୍ ଏହି ସମୟରେ କରୋନା ଦେଶରେ ପାଦ ଥାପୁଥିଲା। ଆଉ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦେଶରେ ଲକଡାଉନ୍ ଏବଂ ଶଟଡାଉନ୍ ହୋଇଥିଲା। ସରକାରୀ ରିପୋର୍ଟ ଅନୁଯାୟୀ ଶୁକ୍ରବାର ୨୩, ୨୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାଞ୍ଚ ଦିନ ମଧ୍ୟରେ ୯୮,୦୪୭ ଜଣ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟତଃ ଦେଶର ୬ଟି ରାଜ୍ୟ କରୋନାର ଗ୍ରାଫକୁ ବଢ଼ାଇ ଦେଇଛି। ଆଉ ଏହା ମୁଖ୍ୟ କାରଣ ପାଲଟିଛି।

ଏହି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରର ସ୍ଥିତି ସବୁଠୁ ଉଦବେଗ ଜନକ ରହିଛି। ଏବେ ବଢ଼ୁଥିବା ସଂକ୍ରମଣକୁ ଦେଖି ରାଜ୍ୟର ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ନାଗପୁର, ଓକେଲା, ପୁଣେ ଆଦି ଭିନ୍ନ ଭିନ୍ନ ସ୍ଥାନରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ରହିଛି।

ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨.୯୬ ପ୍ରତିଶତ ରହିଛି। ମହାରାଷ୍ଟ୍ର, କେରଳରେ ଏହା ୭୧.୬୯ ପ୍ରତିଶତ ରହିଛି। ସେହିପରି ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆଣାର ସ୍ଥିତି ଚିନ୍ତାଜନକ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।