ସେପ୍ଟେମ୍ବର ୧୨ରେ ନିଟ୍‌(ୟୁଜି), ଟ୍ୱିଟ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଆସନ୍ତା ସେପ୍ଟମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା ନିଟ୍‌(ୟୁଜି)। କରୋନା କଟକଣା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଦେଶର ନୂଆ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ସୂଚନା ଦେଇଛନ୍ତି।  ଏଥିପାଇଁ କାଲିଠାରୁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ।

ଧର୍ମେନ୍ଦ୍ର ଟ୍ୱିଟ କରି କହିଛନ୍ତି, ନିଟ୍‌(ୟୁଜି) ୨୦୨୧ ପରୀକ୍ଷା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ। କରୋନା କଟକଣା ମଧ୍ୟରେ ସମଗ୍ର ଦେଶରେ ଏହା ଆୟୋଜନ କରାଯିବ। ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ ଏନଏଟି ୱେବସାଇଟ୍‌ ଜରିଆରେ ଆବେଦନ କରିପାରିବେ।

ସାମାଜିକ ଦୂରତା ନିୟମକୁ ପାଳନ କରିବା ପାଇଁ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରର ସଂଖ୍ୟା ୧୫୫ରୁ ୧୯୮ କରାଯାଇଛି। ସେହିପରି ୨୦୨୦ରେ ଥିବା ୩୮୬୨ଟି ପରୀକ୍ଷା କେନ୍ଦ୍ରକୁ ମଧ୍ୟ ୨୦୨୧ରେ ବୃଦ୍ଧି କରାଯିବ। କୋଭିଡଡ-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ସମସ୍ତ ଶିକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ।


ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ସମୟ ସ୍ଲଟ, କଣ୍ଟାକ୍ଟଲେସ୍‌ ପଞ୍ଜୀକରଣ, ଉପଯୁକ୍ତ ସାନିଟାଇଜେସନ, ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରିବା ପାଇଁ ସିଟ୍‌ର ଆରେଞ୍ଜମେଣ୍ଟ ଓ ଅନ୍ୟାନ୍ୟ ସବୁ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ପ୍ରତିବର୍ଷ ଅଣ୍ଡର ଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ସମଗ୍ର ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥାଆନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।