ଚିନ୍ତା ବଢ଼ାଉଛି କରୋନା: ୧୮ ରାଜ୍ୟରୁ ଠାବ ହେଲାଣି ନୂଆ ଷ୍ଟ୍ରେନ୍

ନୂଆଦିଲ୍ଲୀ: ଲୋକଙ୍କୁ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା ଭାଇରସ। ବିଶେଷ କରି କରୋନାର ନୂଆ ରୂପ ଦେଶରେ ବ୍ୟାପିବା ଆରମ୍ଭ କଲାଣି। ଚିନ୍ତା ବଢ଼ାଉଥିବା ଡବଲ ମ୍ୟୁଟାଣ୍ଟ କରୋନା ଭାଇରସ ବା ଅଧିକ ବେଗରେ ସଂକ୍ରମଣ କରୁଥିବା କରୋନା ଭୂତାଣୁ ଦେଶର ୧୮ଟି ରାଜ୍ୟରେ ଠାବ ହୋଇସାରିଲାଣି।

ଏହା ବ୍ୟତୀତ ବିଦେଶରେ ଦେଖା ଯାଉଥିବା କରୋନାର ଆଉ କିଛି ନୂଆ ଷ୍ଟ୍ରେନ ଦ୍ୱାରା ଭାରତର ବିଭିନ୍ନ ସ୍ଥାନରେ ଲୋକମାନେ ଆକ୍ରାନ୍ତ ହୋଇସାରିଲେଣି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଦେଶରେ ଦେଖାଯାଉଥିବା ନୂଆ ଷ୍ଟ୍ରେନ ଓ ମାରାତ୍ମକ ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଭାରତରୁ ଠାବ ହୋଇଛି। ତେବେ ଏମାନଙ୍କ ସଂଖ୍ୟା ଅଧିକ ପରିମାଣରେ ନାହିଁ। ତେଣୁ ରାଜ୍ୟଗୁଡ଼ିକରେ ସଂକ୍ରମଣ ବ୍ୟାପିବା ପଛରେ ସିଧାସଳଖ ଏହି ଭାରିଆଣ୍ଟ ଦାୟୀ ବୋଲି କହି ପାରିବା ନାହିଁ।

୧୦,୭୮୭ଟି ନମୁନା ମଧ୍ୟରୁ ୭୭୧ ଜଣଙ୍କ ଶରୀରରେ ବିଦେଶରେ ଦେଖାଯାଉଥିବା କରୋନା ଷ୍ଟ୍ରେନ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଷ୍ଟ୍ରେନ ୩୪ ଜଣଙ୍କ ଠାରୁ ମିଳିଥିବା ବେଳେ ଜଣଙ୍କ ଶରୀରରୁ ବ୍ରାଜଲର କରୋନା ଭାଇରସ ଷ୍ଟ୍ରେନ ଠାବ ହୋଇଛି।

ବାକି ୭୩୬ ଜଣ ବ୍ରିଟେନରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି। ଏହି ବ୍ରିଟେନ ଷ୍ଟ୍ରେନରେ ଓଡ଼ିଶାର ୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପଞ୍ଜାବରେ ସର୍ବାଧିକ ୩୩୬ ଜଣ ବ୍ରିଟେନ ଷ୍ଟ୍ରେନରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ବିଦେଶରୁ ଆସି କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଜେନୋମ ପରୀକ୍ଷା କରି ବୈଜ୍ଞାନିକମାନେ ଏହି ନିର୍ଯାସରେ ପହଞ୍ଚିଛନ୍ତି। ଦେଶର ୧୦ଟି ଲ୍ୟାବ୍‌ରେ ଏହି ଜେନୋମ ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ନୂଆ ଷ୍ଟ୍ରେନ ସମ୍ପର୍କରେ ସୂଚନା ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।