୩୦ ଯାଏ ୧୧ ପିଏଫଆଇ ସଦସ୍ୟଙ୍କୁ ରିମାଣ୍ଡରେ ନେଲା ଏନଆଇଏ

କୋଚି: ଦେଶବ୍ୟାପୀ ରେଡ୍‌ ପରେ ଏନଆଇଏ ଦ୍ୱାରା ଗିରଫ ହୋଇଥିବା ଶତାଧିକ ପିଏଫଆଇ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣଙ୍କୁ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା। କୋଚିରେ ଥିବା ସ୍ୱତନ୍ତ୍ର କୋର୍ଟ ୧୧ ଜଣ ପିଏଫଆଇ ସଦସ୍ୟଙ୍କୁ ୩୦ ତାରିଖ ଯାଏ ଏନଆଇଏ ରିମାଣ୍ଡରେ ପଠାଇ ଦେଇଛନ୍ତି। ଏହି ପିଏଫଆଇ ସଦସ୍ୟମାନଙ୍କୁ ସେପ୍ଟେମ୍ବର ୨୨ରେ ଗିରଫ କରାଯାଇଥିଲା।

ପିଏଫଆଇ ଓ ଏହାର ଗିରଫ ସଦସ୍ୟମାନଙ୍କ ବିରୋଧରେ ଏନଆଇଏ ସାଂଘାତିକ ଅଭିଯୋଗ ଆଣିଛି। ରେଡ୍‌ ବେଳେ ଜବତ ହୋଇଥିବା ଦସ୍ତାବିଜ ଓ ସାମଗ୍ରୀରେ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟବସ୍ତୁ ରହିଛି। ପିଏଫଆଇ ପକ୍ଷରୁ ଏକାଧିକ ହିଂସା ଓ ବିଶିଷ୍ଟ ରାଜନେତାଙ୍କୁ ଟାର୍ଗେଟ କରିବାକୁ ଯୋଜନା କରାଯାଉଥିଲା। ଏଥିସହ ପିଏଫଆଇ ବିଭିନ୍ନ ଆଳରେ ମୁସଲିମ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରବର୍ତ୍ତାଉ ଥିଲା। ବିଶେଷ କରି ଲସ୍କର, ଅଲକାଏଦା ଓ ଆଇଏସ ଆତଙ୍କବାଦୀ ସଂଗଠନରେ ଯୁବକମାନଙ୍କୁ ସାମିଲ କରିବାକୁ ପିଏଫଆଇ କାର୍ଯ୍ୟ କରୁଥିଲା ବୋଲି ଏନଆଇଏ କହିଛି।

ଏବେ ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଏନଆଇଏ ୧୧ ଜଣ ପିଏଫଆଇ ସଦସ୍ୟଙ୍କୁ ରିମାଣ୍ଡରେ ନେଇଛି। ସେପ୍ଟେମ୍ବର ୨୨ରେ ଦେଶର ୧୫ଟି ରାଜ୍ୟର ପ୍ରାୟ ୯୩ଟି ସ୍ଥାନରେ ଏନଆଇଏ ରେଡ୍‌ କରିଥିଲା। ଏହି ସମୟରେ ୧୦୬ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଟେରର ଫଣ୍ଡିଂ ଓ ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଏପରି ରେଡ୍‌ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।