ବୋମାଭର୍ତ୍ତି ଗାଡ଼ି ଜବତ ମାମଲାରେ ଆଇପିଏସ ସଚିନ ବାଜେଙ୍କୁ ଜେରା

ମୁମ୍ୱାଇ: ମୁମ୍ୱାଇ ପୁଲିସ ଅଫିସର ସଚିନ ବାଜେଙ୍କୁ ଜେରା କରୁଛି ଏନଆଇଏ। ବିଜେନସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘର ସାମ୍ନାରୁ ଉଦ୍ଧାର ହୋଇଥିବା ବୋମା ଭର୍ତ୍ତି ସ୍କୋର୍ପିଓ ମାମଲାରେ ଏନଆଇଏ ଆଜି ଏହି ବିବାଦୀୟ ପୁଲିସକୁ ଜେରା କରୁଛି। ମୁମ୍ୱାଇ ସ୍ଥିତ ପେଡାର ରୋଡରେ ଥିବା ଏନଆଇଏ ମୁଖ୍ୟ କାର୍ଯ୍ୟାଳୟରେ ଜେରା ହୋଇଛି। ତେବେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସଚିନ ଜାମିନ୍ ଆବେଦନ କରିଥିଲେ। ହେଲେ କୋର୍ଟ ଜାମିନ ଖାରଜ କରିଛନ୍ତି। ସଚିନ ବାଜେଙ୍କୁ ଜେରା ହେବା ନିହାତି ଆବଶ୍ୟକ ବୋଲି ଜାମିନ ଖାରଜ ବେଳେ କୋର୍ଟ କହିଛନ୍ତି।

ସଚିନ୍ ବାଜେ ଏହି ବୋମା ଭର୍ତ୍ତି କାର ସହିତ ପରୋକ୍ଷରେ ଯୋଡ଼ି ହୋଇଥିବା ଅଭିଯୋଗ ରହିଛି। ଏମିତିକି ଉଦ୍ଧାର କାରର ମାଲିକର ରହସ୍ୟଜନକ ଭାବରେ ହଠାତ୍ ମୃତ ଦେହ ଉଦ୍ଧାର ହୋଇଛି। ଏବେ ମୃତକଙ୍କ ସ୍ତ୍ରୀ ସଚିନ ବାଜେଙ୍କୁ ତାଙ୍କ ସ୍ୱାମୀର ହତ୍ୟାକାରୀ ବୋଲି ଅଭିଯୋଗ କରିଛନ୍ତି। ଏହି ମାମଲାରେ ପ୍ରଥମେ ମହାରାଷ୍ଟ୍ର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ ତଦନ୍ତ କରୁଥିଲା। ସଚିନ ବାଜେ ହେଉଛନ୍ତି ସେହି ପୁଲିସ ଅଫିସର ଯିଏକି ପୂର୍ବରୁ ହାଜତ ମୃତ୍ୟୁ ମାମଲାରେ ନିଲମ୍ୱିତ ହେବା ପରେ ଶିବସେନାରେ ଯୋଗ ଦେଇଥିଲେ। ପରେ କୋଭିଡ୍ ସମୟରେ ଉଦ୍ଧବ ସରକାର ତାଙ୍କ ଉପରେ ଲାଗିଥିବା ନିଲମ୍ୱନ ଆଦେଶ ପ୍ରତ୍ୟାହାର କରିଥିଲେ।

ତେଣୁ ଏଟିଏସ ତଦନ୍ତ ବଦଳରେ ଏନଆଇଏ ତଦନ୍ତ ପାଇଁ ବିରୋଧୀ ବିଜେପି ଦାବି କରିଥିଲା। ବିଧାନସଭାରେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସ ଏନଆଇଏ ତଦନ୍ତ ଦାବି କରିବା ସହିତ ସଚିନ ବାଜେଙ୍କୁ ଗିରଫ କରିବାକୁ ଦାବି କରିଥିଲେ।ପରେ  ମହାରାଷ୍ଟ୍ର ଗୃହମନ୍ତ୍ରୀ ଏହି ମାମଲାର ତଦନ୍ତ ଏନଆଇକୁ ହସ୍ତାନ୍ତର କରିଛନ୍ତି। ଆଜି ଏଟିଏସ ଏବଂ ମୁମ୍ୱାଇ କ୍ରାଇମବ୍ରାଞ୍ଚ ଏନଆଇଏକୁ ମାମଲା ହସ୍ତାନ୍ତର କରିଛନ୍ତି।

ତେବେ ହତ୍ୟା ଅଭିଯୋଗ ଆସିବା ପରେ ସଚିନ ବାଜେଙ୍କୁ ମୁମ୍ୱାଇ କ୍ରାଇମବ୍ରାଞ୍ଚରୁ ମଧ୍ୟ ହଟାଇ ଦେଇଛନ୍ତି ଉଦ୍ଧବ ସରକାର। ଏହାପରେ ସଚିନ ବାଜେ ତାଙ୍କ ହ୍ୱାଟସଆପ ଷ୍ଟାଟସରେ କହିଥିଲେ ସେ ନିର୍ଦ୍ଦୋଶ। ଯେଉଁ ଗାଡ଼ି ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହୋଇଛି ସେ ଗାଡ଼ି ଚଳାଉନଥିଲେ ବୋଲି କହିଥିଲେ।

ଫେବୃଆରୀ ୨୫ ତାରିଖରେ ଏକ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହୋଇଥିଲା। ହେଲେ କିଛି ଦିନ ପରେ ମାର୍ଚ୍ଚ ୫ରେ କାର ମାଲିକ ମନସୁଖ ହିରେନଙ୍କ ମୃତ ଶରୀର ଥାନେ ସ୍ଥିତ ମୁମବ୍ରା କ୍ରିକରୁ ଉଦ୍ଧାର ହୋଇଥିଲା। ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ମୃତକଙ୍କ ପତ୍ନୀବିମଳା ହିରେନ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଛନ୍ତି।

ବିମଳା ମାର୍ଚ୍ଚ 9ରେ ଏତଲା ଦେବା ବେଳେ କହିଥିଲେ ତାଙ୍କ ସ୍ୱାମୀ ଜଣେ ଅଟୋ ପାର୍ଟସ ଡିଲର। ସେ ସ୍କୋର୍ପିଓ କାରକୁ ତିନି ବର୍ଷ ହେବ କିଣିଥିଲେ। ଏହି କାରର ମୂଳ ମାଲିକ କିନ୍ତୁ ପିଟର ନ୍ୟୁଟନ। ଗତ ବର୍ଷ ନଭେମ୍ବରରେ ହିରେନ ନିୟମିତ ଗ୍ରାହକ ଭାବରେ ସଚିନ ବାଜେଙ୍କୁ ଏହି କାର ଦେଇଥିଲେ ଚଲାଇବା ପାଇଁ।

କିନ୍ତୁ ସଚିନ ବାଜେ ମନସୁଖଙ୍କୁ ଫେବୃଆରୀ ୫ରେ ଷ୍ଟିଅରିଂ ଜାମ୍ ଅଛି ବୋଲି କହି ଏହି କାର ଫେରାଇ ଦେଇଥିଲେ। ଏହାପରେ ଫେବୃଆରୀ ୧୭ରେ ମନସୁଖ ହିରେନ୍ ମୁମ୍ୱାଇ ନେଇ ଏହି କାରକୁ ଯାଇଥିଲେ। ମୁଲୁନ୍ଦ ଟୋଲ ପ୍ଲାଜା ନିକଟରେ ସେ କାରଟିକୁ ପାର୍କିଂ କରିଥିଲେ। ହେଲେ ଏହାର ପରଦିନ ସ୍କୋର୍ପିଓ କାରଟି ଚୋରି ହୋଇଯାଇଥିଲା।

କାର ଚୋରି ହେବା ପରେ ମନସୁଖ ବିଖ୍ରୋଲି ପୁଲିସରେ ଏତଲା ଦେଇଥିଲେ। ତେବେ ଫେବୃଆରୀ ୨୫ରେ କାରଟି ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହେବା ପରେ ବିଖ୍ରୋଲି ଏଟିଏସ ମନସୁଖଙ୍କୁ ଜେରା କରିଥିଲା। ତେବେ ମନସୁଖ ଚୋରି ହୋଇଥିବା ନେଇ ଏତଲା ଦେଇଥିବା ଏଟିଏସକୁ ଦେଖାଇଥିଲେ।

ତେବେ ଫେବୃଆରୀ ୨୭, ୨୮ ଏବଂ ମାର୍ଚ୍ଚ ୨ ଯାଏ ମନସୁଖ ସଚିନ ବାଜେଙ୍କ ସହିତ ଥିଲେ। ମନସୁଖ ମାର୍ଚ୍ଚ ୪ରେ ଫୋନ୍ କରିଥିଲେ ମନସୁଖ ବିମଳାଙ୍କୁ ଫୋନ୍ କରିଥିଲେ। କହିଥିଲେ ସଚିନ ବାଜେ ତାଙ୍କୁ ସରେଣ୍ଡର କରିବାକୁ ପରାମର୍ଶ ଦେଉଛନ୍ତି। ତିନି ଚାରି ଦିନ ଭିତରେ ସେ ଜାମିନ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ମନସୁଖ ତାଙ୍କୁ ଫୋନରେ କହିଥିବା ବିମଳା କହିଛନ୍ତି। ତେବେ ଏହାପରେ ମାର୍ଚ୍ଚ ୫ରେ ମନସୁଖଙ୍କ ମୃତ ଶରୀର ମମବ୍ରା କ୍ରିକରୁ ଉଦ୍ଧାର ହୋଇଥିଲା। ଥାନେ ପୁଲିସ କହିଛି ମୃତ ଶରୀର ଉଦ୍ଧାର ହେବା ବେଳେ ମୃତକଙ୍କ ମୁହଁରେ ଚାରି ପାଞ୍ଚୋଟି ରୁମାଲ ବନ୍ଧାଯାଇଥିଲା। ମନସୁଖ ପହଁରିବା ଜାଣିଛନ୍ତି। ସେ ଭଲ ଭାବରେ ପହଁରିବାର ଦକ୍ଷତା ରଖିଛନ୍ତି। ତେଣୁ ସେ ପାଣିର ବୁଡ଼ି କେବେ ଆତ୍ମହତ୍ୟା କରି ନାହାନ୍ତି ବୋଲି ମୃତକଙ୍କ ସ୍ତ୍ରୀ କହିଛନ୍ତି। ତାଙ୍କୁ ହତ୍ୟା କରାଯାଇଛି, ସଚିନ ବାଜେ ହିଁ ତାଙ୍କୁ ହତ୍ୟା କରିଥିବା ସେ ସନ୍ଦେହ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।