ବଢ଼ିଲା ସଚିନ ବାଜେଙ୍କ ଅଡ଼ୁଆ, ଲାଗିଲା ୟୁଏପିଏ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଖଚିତ କାର୍‌ ମିଳିବା ଘଟଣାରେ ଗିରଫ ମୁମ୍ବାଇ ପୁଲିସର ନଲମ୍ବିତ ଅଧିକାରୀ ସଚିନ ବାଜେଙ୍କ ଅଡ଼ୁଆ ବଢ଼ିଛି। ତାଙ୍କୁ ଏନଆଇଏ ଗିରଫ କରିଥିଲା। ଏବେ ତାଙ୍କ ନାଁରେ କଠୋର ୟୁଏପିଏ ଲାଗୁ କରାଯାଇଛି।

ବର୍ତ୍ତମାନ ସଚିନ ବାଜେ ଏନଆଇଏ ହେପାଜତରେ ରହିଛନ୍ତି। ସେହିପରି ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ସଚିନ ବାଜେଙ୍କ ବିରୋଧରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ୍‌) ତଦନ୍ତ କରୁଛି।

ଗତ ସପ୍ତାହରେ ଏଟିଏସ୍‌ ମନସୁଖଙ୍କ ମୃତ୍ୟୁ ମାମଲାରେ ନିଲମ୍ବିତ ପୁଲିସ୍‌ ଅଧିକାରୀ ବିନାୟକ ସିନ୍ଧେ ଓ କ୍ରିକେଟ ବୁକି ନରେଶ ଗୌରଙ୍କୁ ଗିରଫ କରିଥିଲା। ଏହି ଦୁଇ ଜଣଙ୍କ ଗିରଫ ପରେ ସଚିନ ବାଜେ ହିଁ ମନସୁଖଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏଟିଏସ୍‌ ଜାଣିବାକୁ ପାଇଛି।

ସେହିପରି ପୂରା ଘଟଣାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଏଟିଏସ ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି। ଏବେ ଏଟିଏସ୍‌ ସଚିନ ବାଜେଙ୍କୁ ମାର୍ଚ୍ଚ ୨୫ରେ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ।

ୟୁଏପିଏ ବଳରେ କେନ୍ଦ୍ର ସରକାର ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିପାରିବେ। ବ୍ୟକ୍ତି ଜଣଙ୍କ ଯଦି ଆତଙ୍କ ସୃଷ୍ଟି କରିବା ଭଳି କୌଣସି ଘଟଣାରେ ସାମିଲ ଥିବେ, ଏହାକୁ ପ୍ରୋତ୍ସାହିତ କରିଥିବେ କିମ୍ବା ସକ୍ରିୟ ଭାବେ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିବେ ତା’ହେଲେ ତାଙ୍କ ବିରୋଧରେ ୟୁଏପିଏ ଲାଗୁ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।