ମୁକେଶ ଅମ୍ୱାନୀଙ୍କ ଘର ଆଗରେ ସିନ୍ ରିକ୍ରିଏସନ କଲା ଏନଆଇଏ

ମୁମ୍ୱାଇ: ବିଳମ୍ୱିତ ରାତିରେ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲା ଆଗରେ ସିନ୍ ରିକ୍ରିଏସନ କଲା ଏନଆଇଏ। ସଚିନ୍ ବାଜେଙ୍କୁ ଏନଆଇଏ ଅଧିକାରୀମାନେ ଏକ ଧଳା ରଙ୍ଗର ଢିଲା କୁର୍ତ୍ତା ମଧ୍ୟ ପିନ୍ଧାଇଥିଲେ। ଏହାପରେ ନିଲମ୍ୱିତ ପୁଲିସ ଅଧିକାରୀ ସଚିନ ବାଜେଙ୍କୁ ଚଲାଇ ସିନ୍ ରିକ୍ରିଏଟ କରାଇଥିଲେ ଏନଆଇ ଅଧିକାରୀ। ଏହି ସମୟରେ ଏନଆଇଏର ଟପ୍ ଅଫିସର ମାନେ ଉପସ୍ଥିତ ଥିଲେ। ଏନଆଇଏର କିଛି ସ୍ଥାନ ଚିହ୍ନଟ କରାଇଥିଲେ। ଆଉ ସେହି ଚିହ୍ନଟ ହୋଇଥିବା ସ୍ଥାନ ଜରିଆରେ ସଚିନ ବାଜେଙ୍କୁ ଚାଲି ଚାଲି ଯିବାକୁ ଏନଆଇଏ କହିଥିଲା। ସିନ ରିକ୍ରିଏସନ ବେଳେ ଏନଆଇଏ ସଂପୃକ୍ତ ଏରିଆକୁ ଘେରି ଯାଇଥିଲା। ଯେମିତିକି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ।

ସୂଚନାଯୋଗ୍ୟ, ଅମ୍ୱାନୀଙ୍କ ଘର ଆଗରେ ଜିଲେଟିନ ଭର୍ତ୍ତି କାର ରଖିବା ପରେ ଜଣେ ବ୍ୟକ୍ତି କାର ପଛ ପଟୁ ବାହାରି ଚାଲିଚାଲି ଯାଉଥିଲେ। ଯାହାର ସିସିଟିଭି ଫୁଟେଜ ହସ୍ତଗତ ହୋଇଥିଲା। ଆଉ ଏନଆଇଏ ଏହାର ତଦନ୍ତ କରିବା ପରେ ସେହି ବ୍ୟକ୍ତି ସଚିନ ବାଜେ ବୋଲି କହିଥିଲା। ଏବେ ସଂପୃକ୍ତ ଘଟଣାର ସିନ ରିକ୍ରିଏସନ କରି ମାମଲାର ଗଭୀରକୁ ଯିବାକୁ ଚେଷ୍ଟା କରିଛି ଏନଆଇଏ।

ଆଜି ଏହି ମାମଲାରେ କୋର୍ଟରେ ପକ୍ଷ ରଖିଛି ଏନଆଇଏ। ସଚିନ କୌଣସି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ତେଣୁ ତଦନ୍ତ ଆଗକୁ ଯାଇପାରୁ ନାହିଁ ବୋଲି ଏନଆଇଏ ମୁମ୍ୱାଇ କୋର୍ଟରେ ପକ୍ଷ ରଖି କହିଛି। ଅନ୍ୟପଟେ ବୋମା ଭର୍ତ୍ତି କାର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ଆଣ୍ଟି ଟେରୋଟିଷ୍ଟ ସ୍କ୍ୱାର୍ଡ ତଦନ୍ତ କରୁଛି। ସଚିନ ବାଜେଙ୍କୁ ଜେରା କରିବା ପାଇଁ ଏଟିଏସ ଏବେ ଥାନେ କୋର୍ଟରେ ଆବେଦନ କରିଛି। ଏହି ମାମଲାର ଶୁଣାଣି ମାର୍ଚ୍ଚ ୩୦ରେ ହେବ ବୋଲି କୋର୍ଟ କହିଛନ୍ତି। ସଚିନ ଏବେ ମାର୍ଚ୍ଚ  ଯାଏ ଏନଆଇଏ ହେପାଜତରେ ରହିବେ। ତେବେ ଏଟିଏସର ରିମାଣ୍ଡକୁ ବିରୋଧ କରିଛନ୍ତି ସଚିନଙ୍କ ଓକିଲ ଆରତୀ କଲେକର।

ଏହାରି ଭିତରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଦିଲ୍ଲୀରେ ଭେଟିଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଶରଦ ପାଓ୍ୱାରଙ୍କୁ ବାଜେ ଓ ଆଣ୍ଟିଲା ମାମଲାରେ ଅବଗତ କରାଇଥିବା ସୂଚନା ରହିଛି। ଯଦିଓ ଏଟିଏସ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି ହେଲେ ତଦନ୍ତରେ କୌଣସି ତ୍ରୁଟି ରହିବ ନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଅନୀଲ ଦେଶମୁଖ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।