ଆଠ ସହରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ଜୟପୁର: ଦେଶର ବିଭିନ୍ନ ସ୍ଥାନରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ବିଭିନ୍ନ ରାଜ୍ୟର ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜସ୍ଥାନ ସରକାର ୮ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜମେର, ଭିଲାଓ୍ୱାଡା, ଜୟପୁର, ଯୋଧପୁର, କୋଟା, ଉଦୟପୁର, ସାଗଓ୍ୱାଡା ଏବଂ କୁଶଲଗଡ଼ରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।

ସୋମବାର (ମାର୍ଚ୍ଚ ୨୨)ରୁ ଏହି ନିୟମ ରାତି ୧୦ଟାରୁ ସକାଳ ୫ଟା ଯାଏ ଲାଗୁ ହେବ ବୋଲି ଜଣାପଡ଼ିଛି। ଏହି ସମୟରେ ସମସ୍ତ ପୌର ପାଳିକାରେ ବଜାର ବନ୍ଦ ରହିବ ବୋଲି ଜଣାପଡ଼ିଛି। ସେହିଭଳି ରାଜସ୍ଥାନ ଆସିଥିବା ବାହାର ରାଜ୍ୟର ଲୋକ କିମ୍ୱା ପର୍ଯ୍ୟଟକଙ୍କର ଆରଟିପିସିଆର ଟେଷ୍ଟ ୭୨ ଘଣ୍ଟା ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ସେହିଭଳି ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ଗୁଡ଼ିକ ବନ୍ଦ ରହିବ ବୋଲି ସରକାର କହିଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଟୁଇଟ୍ କରି କହିଛନ୍ତି, “କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସମ୍ଭାବନାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସ୍ୱାର୍ଥରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ୨୨ ମାର୍ଚ୍ଚରୁ ରାତି ୧୦ଟା ପରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ମାର୍କେଟ ବନ୍ଦ ରହିବ। ସକାଳ ୧୧ ଟାରୁ ୫ ଟା ପର୍ଯ୍ୟନ୍ତ ଆଜମେର, ଭିଲୱାରା, ଜୟପୁର, ଯୋଧପୁର, କୋଟା, ଉଦୟପୁର, ସାଗୱାରା ଏବଂ କୁଶଲଗଡରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ।

ଏହାପୂର୍ବରୁ କେରଳ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ପାଇଁ ଏହା ବାଧ୍ୟତାମୂଳକ ଥିଲା। ବର୍ତ୍ତମାନ ଏହାକୁ ସମସ୍ତ ରାଜ୍ୟ ପାଇଁ ବାଧ୍ୟତାମୂଳକ କରାଯାଇଛି। ବିମାନ ବନ୍ଦର, ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ଯାତ୍ରୀମାନଙ୍କର ମଧ୍ୟ ପରୀକ୍ଷା କରାଯିବ।

ସୂଚନାଯୋଗ୍ୟ, ଆଜି ମଧ୍ୟପ୍ରଦେଶର ତିନି ସହର ଇନ୍ଦୋର, ଭୋପାଳ ଏବଂ ଜବଲପୁରରେ ଦିନିକିଆ ଲକଡାଉନ ଜାରି ହୋଇଛି। ଏହି ତିନୋଟି ସହରର ସମସ୍ତ ସ୍କୁଲ୍ ଏବଂ କଲେଜ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି। ବଢ଼ୁଥିବା କରୋନା ମାମଲାକୁ ଦେଖି ମହାରାଷ୍ଟ୍ର ଓ ପଞ୍ଜାବ ସରକାର ମଧ୍ୟ କରୋନା କଟକଣା ଜାରି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।