ସଂକ୍ରମଣ ପାଇଁ ନାଇଟ କର୍ଫ୍ୟୁ ଓ ସ୍କୁଲ ବନ୍ଦ, ହେଲେ ନିର୍ବାଚନ ରାଲି ଉପରେ ବ୍ରେକ କେବେ

ଚଣ୍ଡିଗଡ଼: କରୋନା ସଂକ୍ରମଣ ହଠାତ୍‌ ହୁହୁ ହୋଇ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ ନାଇଟ କର୍ଫ୍ୟୁ ଠାରୁ ଆରମ୍ଭ କରି ସ୍କୁଲ ଆଦିକୁ ବନ୍ଦ କରୁଛନ୍ତି। ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକା, ତାମିଲନାଡୁ ଭଳି ରାଜ୍ୟ ଏପରି ପଦକ୍ଷେପ ନେଇଥିବା ବେଳେ ଆଜି ପଞ୍ଜାବ ସରକାର ସମାନ ନୀତି ଆପଣାଇଛନ୍ତି।

ପଞ୍ଜାବ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁଆରୀ ୧୫ ଯାଏ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଛନ୍ତି। ସେହିପରି ରାତି ୧୦ଟାରୁ ଭୋର ୫ ଯାଏ ମଧ୍ୟ ପଞ୍ଜାବରେ ନାଇଟ କର୍ଫ୍ୟୁ ଲାଗୁ ହେବ। କିନ୍ତୁ ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ନିର୍ବାଚନ ରାଲି କିମ୍ବା ସଭା ଉପରେ କୌଣସି କଟକଣା ଲାଗୁ କରା ନଯିବାକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପଞ୍ଜାବରେ ଆସନ୍ତା ଫେବୃଆରୀ କିମ୍ବା ମାର୍ଚ୍ଚରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ରାଜନୀତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ପ୍ରତିଦିନ ଆୟୋଜିତ ରାଲିରେ ଶହଶହ ଲୋକ କରୋନା କଟକଣାକୁ ଭୁଲି ଏକାଠି ହେଉଛନ୍ତି। ଏଠାରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିଲେ ମଧ୍ୟ ରାଜ୍ୟ ସରକାର ରାଲି ଉପରେ କୌଣସି କଟକଣା ଲଗାଇ ନାହାନ୍ତି। କେବଳ ପଞ୍ଜାବ ସରକାର ନୁହନ୍ତି, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ନିର୍ବାଚନ ରାଲି ଉପରେ କୌଣସି ପ୍ରକାରର ଅଙ୍କୁଶ ଲାଗିନି।

କେବଳ ନାଇଟ କର୍ଫ୍ୟୁ ଓ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ସରକାର କରୋନା ବିରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ମଣିପୁରରେ ମଧ୍ୟ ସମାନ ସ୍ଥିତି।  ଏଠାରେ ପଜିଟିଭିଟି ରେଟ୍‌ ଦେଶରେ ସର୍ବାଧିକ। କିନ୍ତୁ ଏଠାରେ ଶହଶହ ଲୋକଙ୍କୁ ନେଇ ରାଲି ଓ କାର୍ଯ୍ୟକ୍ରମ କରାଯାଉଛି। ଆଜି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଦିଙ୍କ ସଭାରେ ଶହଶହ ଲୋକ ଯୋଗଦେଇଥିଲେ। ହେଲେ ଏହି ସମୟରେ କରୋନା କଟକଣା କଥା କାହାର ମନେ ପଡ଼ି ନଥିଲା।

ସେ ଯାହା ବି ହେଉ ଆଜି ପଞ୍ଜାବ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଚଣଜିତ ସିଂହ ଚନ୍ନିଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଥିଲା। ଏହାପରେ ସରକାର ନୂଆ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି। ନୂଆ ଗାଇଡଲାଇନ ଅନୁଯାୟୀ, ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ ଅଫଲାଇନ କ୍ଲାସ ହେବନି। ଅନଲାଇନରେ ପିଲାମାନଙ୍କ ପାଠପଢ଼ା ଜାରି ରହିବ।

ତେବେ ଏହି ନିୟମ ମେଡିକାଲ ଓ ନର୍ସିଂ କଲେଜ ପାଇଁ ଲାଗୁ ହେବନି। ଏଗୁଡ଼ିକ ପୂର୍ବଭଳି କାର୍ଯ୍ୟକ୍ଷମ ହେବ। ଦୈନିକ ରାତି ୧୦ଟାରୁ ଭୋର ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ବାର, ସିନେମା ହଲ, ମଲ୍ଟିପ୍ଲେକ୍ସ, ମଲ, ରେଷ୍ଟୁରାଣ୍ଟ, ସ୍ପା, ମ୍ୟୁଜିୟମ ଓ ଚିଡ଼ିଆଖାନା ଗୁଡ଼ିକ ୫୦%ର କ୍ଷମତାରେ ଚାଲିବ। ଏଠାରେ କାର୍ଯ୍ୟ କରିବାକୁ ଥିବା କର୍ମଚାରୀମାନେ ଟିକାର ଦୁଇଟି ଯାକ ଡୋଜ୍‌ ନେବାକୁ ବାଧ୍ୟ। ସ୍ପୋର୍ଟସ କମ୍ପ୍ଲେକ୍ସ, ଷ୍ଟାଡିୟମ, ସୁଇମିଂ ପୁଲ ଓ ଜିମ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ। କେବଳ ଜାତୀୟ ଓ ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ କ୍ରୀଡ଼ାବିତମାନେ ଏଠାରେ ଅଭ୍ୟାସ କରିପାରିବେ। ଏହି ନିୟମ ଜାନୁଆରୀ ୧୫ ଯାଏ ବଳବତ୍ତର ରହିବ।

ଗାଇଡଲାଇନରେ କୁହାଯାଇଛି ଯେ କେବଳ ଟିକାର ଦୁଇଟି ଯାକ ଡୋଜ ନେଇଥିବା କର୍ମଚାରୀମାନେ ହିଁ ଉଭୟ ସରକାର ଓ ଘରୋଇ ଅଫିସରେ କାମ କରିବାକୁ ଯାଇ ପାରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।